ତହସିଲଦାର ଲହୁଲୁହାଣ
ମୋରମ ମାଫିଆଙ୍କ ଗୁଣ୍ଡାରାଜ
ଢେଙ୍କାନାଳ, ୨୬ା୫(ବୁ୍ୟରୋ): ଶୁକ୍ରବାର ପରଜଙ୍ଗ ତହସିଲଦାର ସିରିଆଲ୍ ଶୁଭ୍ର ପଟେଲ୍, ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ କନିଷ୍ଠ କିରାଣୀ ପ୍ରେମାନନ୍ଦ ବେହେରା ପରଜଙ୍ଗ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ମୋରମ ଖୋଳାଯାଉଥିବା ଘଟଣାର ତଦନ୍ତ କରିବାକୁ ଯାଇଥିଲେ । ମୋରମ ମାଫିଆଙ୍କ ଆକ୍ରମଣରେ ତହସିଲଦାର ଲହୁଲୁହାଣ ହୋଇଛନ୍ତି । କାମାକ୍ଷାନଗର ପୁଲିସ ଫେରାର ୨ ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ବାଇକ୍ ଜବତ କରିଛି ।
ଖବର ଅନୁଯାୟୀ, ପଥରଖମ୍ଭର ଜଣେ ବ୍ୟକ୍ତି ସରକାରୀ ଜମିକୁ ନିଜ ଅକ୍ତିଆରରେ ରଖିବା ପାଇଁ ଜେସିବି ଓ ଟ୍ରାକ୍ଟର ଲଗାଇ ମୋରମ୍ ଉଠାଣ କରୁଥିଲା । ଏହି ଖବର ପାଇ ତହସିଲଦାର ଓ ଆର୍ଆଇ ଘଟଣାସ୍ଥଳରେ ପହଞ୍ଚି ଫଟୋ ଉଠାଉଥିବା ବେଳେ ଜେସିବି ଅପରେଟର ଓ ଟ୍ରାକ୍ଟର ଡ୍ରାଇଭର ତହସିଲଦାରଙ୍କ ସାର୍ଟ ଧରି ଘୋସାରି ନେଇଥିଲେ । ବିରୋଧ କରିବାରୁ ଆର୍ଆଇ ଓ କନିଷ୍ଠ କିରାଣୀଙ୍କୁ ସେମାନେ ମାଡ ମାରିଥିଲେ । ତହସିଲଦାର ଲହୁଲୁହାଣ ହୋଇ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ଆର୍ଆଇ ଓ କନିଷ୍ଠ କିରାଣୀଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି ।