ଅଫିସରଙ୍କ ଖିଆଲୀ ମନୋଭାବ
ଫୋନ୍ ପାଇଁ ଡ୍ୟାମ୍ରୁ ଖାଲି କଲେ ୨୧ ଲକ୍ଷ ଲିଟର ପାଣି
ରାୟପୁର (ଏଜେନ୍ସି): ସାଧାରଣ ସ୍ୱାର୍ଥକୁ ଉପେକ୍ଷା କରିବା କାରଣରୁ ଛତିଗଡ଼ର ଜଷର ଫୁଡ୍ ଇନ୍ସପେକ୍ଟରଙ୍କୁ ସସ୍ପେଣ୍ଡ କରାଯାଇଛି । କାଙ୍କେର ଜିଲ୍ଲା କୋଇଲିବେଡ଼ା ବ୍ଲକର ଫୁଡ୍ ଇନ୍ସପେକ୍ଟର ରାଜେଶ ବିଶ୍ୱାସ ଖେରକଟ୍ଟା ଡ୍ୟାମ୍ରେ ରବିବାର ବନ୍ଧୁମାନଙ୍କ ସହ ଛୁଟି ମନାଉଥିବା ସମୟରେ ତାଙ୍କର ଏକ ଦାମୀ ମୋବାଇଲ୍ ପାଣିରେ ଖସିପଡ଼ିଥିବା ଥିଲା । ମୋବାଇଲ୍ ଉଦ୍ଧାର ଲାଗି ସେ ଡ୍ୟାମ୍ରୁ ପ୍ରାୟ ୨୧ ଲକ୍ଷ ଲିଟର ପାଣି ଶୁଖାଇ ଦେଇଥିଲେ । ଏହି ଖବର ଜଣାପଡ଼ିବା ପରେ ଜିଲ୍ଲାପାଳ ରାଜେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ରାଜେଶଙ୍କର ୯୨ ହଜାର ଟଙ୍କାର ଫୋନ୍ ୧୫ ଫୁଟ ଗଭୀର ଜଳରେ ଖସିପଡ଼ିଥିଲା । ଏହାକୁ ଉଦ୍ଧାର କରିବା ପାଇଁ ସେ ଗଛିତ ଜଳକୁ ଅଦରକାରୀ କହି ପାଣି ଶୁଖାଇବା ଲାଗି ବିଭାଗୀୟ ଅଧିକାରୀଙ୍କଠାରୁ ମୌଖିକ ଅନୁମତି ଆଣିଥିବା କହିଥିଲେ । ସ୍ଥାନୀ ବୁଡ଼ାଳି ଫୋନ ଉଦ୍ଧାରରେ ବିଫଳ ହେବାରୁ ୩୦ ଏଚ୍ପି ପମ୍ପ ଲଗାଯାଇ ପାଣି ବାହାର କରାଯାଇଥିଲା । ତାଙ୍କ ଫୋନ ପାଇଁ ୨୧ ଳକ୍ଷ ଲିଟର ପାଣି ଡ୍ୟାମରୁ ଶୁଖାଇ ଦିଆଗଲା । ଯାହାକି ୧୫ଶହ ଏକର ଜମିରେ ଫସଲ ଉତ୍ପାଦନ ନିମିତ୍ତ ଯଥେଷ୍ଟ ହୋଇଥାନ୍ତା ବୋଲି କୁହାଯାଇଛି । ରାଜେଶଙ୍କ ଖାମଖିଆଲ ମନୋଭାବ ଲାଗି ବିପୁଳ ଜଳସମ୍ପଦ ନଷ୍ଟ ହେଲା ବୋଲି କୁହାଯାଇଛି । ଅନ୍ୟପକ୍ଷରେ ରାଜେଶ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।