ସୁପ୍ରିମ୍କୋର୍ଟରେ ସଂସଦ ଭବନ ବିବାଦ
ନୂଆଦିଲ୍ଲୀ, ୨୫ା୫: ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆସନ୍ତା ୨୮ ତାରିଖ ଦିନ ଉଦ୍ଘାଟନ କରାଯିବା ନିଷ୍ପତି ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ସୁପ୍ରିମ୍କୋର୍ଟରେ ଚାଲିଛି । ଜଣେ ଆଡ୍ଭୋକେଟ୍ ପିଟିସନ ଦାଖଲ କରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ଉପରେ ରୋକ୍ ଲଗାଇବା ପାଇଁ ପ୍ରାର୍ଥନା କରିଛନ୍ତି । ଆଡ୍ଭୋକେଟ୍ ସିଆର୍ ଜୟା ସୁକିନ ପାର୍ଟି-ଇନ୍-ପର୍ସନ ରୂପେ ପିଟିସନ୍ ଦାୟର କରିଛନ୍ତି । ସେ ତର୍କ ଦେଇଛନ୍ତି ଯେ ଲୋକସଭା ସଚିବାଳୟ ପକ୍ଷରୁ ଉଦ୍ଘାଟନ ସମାରୋହ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ କରା ନ ଯିବା ଦ୍ୱାରା ସମ୍ବିଧାନ ଅନୁଚ୍ଛେଦ-୭୯ର ଉଲ୍ଲଙ୍ଘନ ହୋଇଛି । ଉଦ୍ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଇବା ଲାଗି ଲୋକସଭା ସଚିବାଳୟକୁ ନିଦେ୍ର୍ଦଶ ଦେବା ପାଇଁ ପିଟିସନ୍ରେ ନିବେଦନ କରାଯାଇଛି ।
କଂଗ୍ରେସ ସମେତ ୨୧ ବିରୋଧୀ ଦଳ ଏହି ସମାରୋହରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ ବିଜେପି ସମେତ ୨୪ ଦଳ (ଏନ୍ଡିଏର ୧୮ ଦଳ ଓ ୬ ଅଣଏନ୍ଡିଏ ଦଳ) ସରକାରଙ୍କ ନିମନ୍ତ୍ରଣକୁ ସ୍ୱିକାର କରିଛନ୍ତି । ଏନ୍ଡିଏର ଯେଉଁ ୧୮ଦଳ ଏଥିରେ ଭାଗ ନେବେ ସେଗୁଡ଼ିକ ହେଲା ବିଜେପି, ଶିବସେନା-ଶିନେ୍ଦ, ନ୍ୟାସନାଲ ପିପୁଲ୍ସ ପାର୍ଟି ମେଘାଳୟ, ଏନ୍ଡିପିପି, ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା, ଜନ-ନାୟକ ପାର୍ଟି, ଏଆଇଏଡିଏମ୍କେ, ଆଇଏମ୍କେଏମ୍କେ, ଏଜେଏସ୍ୟୁ, ଆର୍ପିଆଇ, ମିଜୋ ନ୍ୟାସନାଲ ଫ୍ରଣ୍ଟ, ତାମିଲ ମନିଲା କଂଗ୍ରେସ, ଆଇଟିଏଫ୍ଟି (ତ୍ରିପୁରା), ବରୋ ପିପୁଲ୍ସ ପାର୍ଟି, ପଟ୍ଟାଲି ମକ୍କଲ କାଚୀ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି, ଅପ୍ନା ଦଳ ଓ ଆସାମଗଣ ପରିଷଦ ।
ଏମାନଙ୍କ ବାଦ୍ ବିଜେଡି, ବିଏସ୍ପି, ଟିଡିପି, ୱାଇଏସ୍ଆର୍ସିପି, ଜେଡିଏସ୍ ଓ ଲୋକ ଜନଶକ୍ତି ପାର୍ଟି (ପାଶୱାନ) ଏହି ୬ଟି ଅଣଏନ୍ଡିଏ ପାର୍ଟି ସମାରୋହରେ ସାମିଲ ହେବେ । ଜେଡିଏସ୍ ପକ୍ଷରୁ ଦଳର ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଦେବଗୌଡ଼ା ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି । ସରକାରଙ୍କୁ ଏଥିରେ ସମର୍ଥନ କରୁଥିବା ମୋଟ ୨୪ ଦଳର ଲୋକସଭା ସଦସ୍ୟ ସଂଖ୍ୟା ୩୨୮ (୬୦.୮୨% ପ୍ରତିନିଧିତ୍ୱ) ଏବଂ ରାଜ୍ୟସଭା ସଦସ୍ୟ ସଂଖ୍ୟା ୧୦୨ (୪୨.୮୬% ପ୍ରତିନିଧିତ୍ୱ) ।