ପୁରୁଣା ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା

କଟକ, ୨୪ା୫(ବୁ୍ୟରୋ): ବଦଳିଲା ମାଟ୍ରିକ ପରୀକ୍ଷା ଢାଂଚା । କରୋନା ପାଇଁ ଦୁଇ ବର୍ଷ ଧରି ନବମ ଓ ଦଶମରେ ହେଉଥିବା ସମ୍ମେଟିଭ ପରୀକ୍ଷା ଆଉ ହେବ ନାହିଁ, କିନ୍ତୁ ଇଣ୍ଟରନାଲ୍ ଆସେସମେଣ୍ଟ ଓ ଷାଣ୍ମାସିକ ପରୀକ୍ଷା ହେବ । ଏଥିସହ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ନବମ ଶ୍ରେଣୀରେ ହେଉଥିବା ଦୁଇଟି ସମ୍ମେଟିଭ୍ ପରୀକ୍ଷାରେ ପରିବର୍ତ୍ତନ କରାଯାଇଛି । ନବମରେ ଆଉ ସମ୍ମେଟିଭ ପରୀକ୍ଷା ହେବ ନାହିଁ । କେବଳ ବାର୍ଷିକ ପରୀକ୍ଷା ହେବ । ସେଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇଦେବ । ବୋର୍ଡ ପକ୍ଷରୁ ସମସ୍ତ ପ୍ରଶ୍ନପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯିବ । ସେଠାରୁ ପ୍ରତ୍ୟେକ ସ୍କୁଲକୁ ପ୍ରଶ୍ନପତ୍ର ପଠାଯିବ । ସ୍କୁଲ ପରୀକ୍ଷା ପରିଚାଳନା କରିବ ଓ ଖାତା ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତା ୨୬ରୁ ଆରମ୍ଭ ହୋଇ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩ରୁ ୮ ତାରିଖ ଯାଏ ଏହି ପରୀକ୍ଷା କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କରୋନା ପାଇଁ ୨୦୨୦ରେ ଶ୍ରେଣୀ ଗୃହରେ ପାଠପଢାରେ ରୋକ୍ ଲଗାଇଥିଲେ ରାଜ୍ୟ ସରକର ଯାହାଫଳରେ ଛାତ୍ରଛାତ୍ରୀ ପରୀକ୍ଷା ନ ଦେଇ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ୨୦୨୧-୨୨ରେ ପିଲାମାନଙ୍କ ପାଠ୍ୟକ୍ରମକୁ ମଧ୍ୟ ସଂକୁଚିତ କରିଥିଲା ବୋର୍ଡ । ମାଟ୍ରିକ ପରୀକ୍ଷା ପାସ୍ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୪ଟି ଫର୍ମେଟିଭ ଆସେସମେଣ୍ଟ ଏବଂ ଦୁଇଟି ସମ୍ମେଟିଭ ପରୀକ୍ଷା ଦେବା ବ୍ୟବସ୍ଥା ହୋଇଥିଲା । ମାତ୍ର ଏବେ କରୋନା ଭୟ କମିଛି । ପିଲାମାନେ ପାଠ ପଢିବାକୁ ସ୍କୁଲକୁ ଆସୁଛନ୍ତି । ସେହି ଦୃଷ୍ଟିରୁ ବୋର୍ଡ ପକ୍ଷରୁ କରାଯାଉଥିବା ସମ୍ମେଟିଭ ପରୀକ୍ଷା ବନ୍ଦ କରାଯାଇଥିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିବା ବେଳେ ବୁଧବାର ବୋର୍ଡ ପକ୍ଷରୁ ନୂଆ ନିୟମ ଘୋଷଣା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *