୧୯ ଦଳଙ୍କ ବୟକଟ୍
୨୮ରେ ନୂଆ ସଂସଦ ଭବନ ଉଦ୍ଘାଟନ
ନୂଆଦିଲ୍ଲୀ, ୨୪ା୫: ନୂଆ ସଂସଦ ଭବନ ନିର୍ମାଣ ସରିଯାଇଛି । ପ୍ରାୟ ୬୦ ହଜାର ଲୋକ ରେକର୍ଡ ସମୟରେ ଏହାର ନିର୍ମାଣ କରିଛନ୍ତି । ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିବେ । ଟାଟା ପ୍ରୋଜେକ୍ଟସ୍ ଦ୍ୱାରା ନିର୍ମିତ ନୂଆ ଚାରି ମହଲାବିଶିଷ୍ଟ ସଂସଦ ଭବନରେ ଲୋକସଭା ପାଇଁ ୮୮୮ ଓ ରାଜ୍ୟସଭା ପାଇଁ ୩୮୪ ଆସନ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଏହାକୁ ଉଦ୍ଘାଟନ କରିବେ । ଲୋକସଭା ସେକ୍ରେଟରୀ ଜେନେରାଲ୍ ଉତ୍ପଳ କୁମାର ସିଂହଙ୍କ ପକ୍ଷରୁ ଏ ସମ୍ବନ୍ଧୀୟ ନିମନ୍ତ୍ରଣ ପତ୍ର ସବୁ ଦଳକୁ ଦିଆଯାଇଛି । ନିମନ୍ତ୍ରିତ ବ୍ୟକ୍ତି ତାଲିକାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନାମ ନାହିଁ । ବିରୋଧୀ ଦଳମାନେ ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ୧୯ଟି ବିରୋଧୀ ଦଳ ପକ୍ଷରୁ ବୁଧବାର ମିଳିତ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପରବର୍ତ୍ତେ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରୁଥିବାରୁ ସେମାନେ ଉଦ୍ଘାଟନ ଉତ୍ସବରେ ସାମିଲ ହେବେନାହିଁ । ବିରୋଧୀ ଦଳମାନେ ବିଶେଷକରି କଂଗ୍ରେସ ଡ୍ରାମା କରୁଛି ବୋଲି କହିଛି ବିଜେପି ।
ଉଦ୍ଘାଟନ ସମାରୋହକୁ ବର୍ଜନ କରିବାକୁ ଥିବା ୧୯ ଦଳ ହେଲେ- କଂଗ୍ରେସ, ଆପ୍, ଟିଏମ୍ସି, ଡିଏମ୍କେ, ଆର୍ଜେଡି, ଜେଡି(ୟୁ), ଏନ୍ସିପି, ସମାଜବାଦୀ ପାର୍ଟି, ଉଦ୍ଧବ ଠାକ୍ରେଙ୍କ ଶିବସେନା ଗୋଷ୍ଠୀ, ସିପିଆଇ, ଜେଏମ୍ଏମ୍, ଏଆଇଏମ୍ଆଇଏମ୍, କେରଳ କଂଗ୍ରେସ ମନି, ବିଦୁଥଲାଇ ଚିରୁଥାଇଗଲକଚ୍ଛି, ରାଷ୍ଟ୍ରୀୟ ଲୋକଦଳ, ସିପିଏମ୍, ନାସନାଲ କନ୍ଫରେନ୍ସ, ରିଭଲୁ୍ୟସନାରୀ ସୋସାଲିଷ୍ଟ ପାର୍ଟି ଓ ଏମ୍ଡିଏମ୍କେ । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଓ ମଲିକାର୍ଜୁନ ଖଡ଼ଗେ ପ୍ରଥମେ ନୂଆ ସଂସଦ ଗୃହର ଉଦ୍ଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଉ ବୋଲି ଦାବି କରିଥିଲେ ।
ବିରୋଧୀ ମେଣ୍ଟର ନିଷ୍ପତ୍ତି ବିରୋଧରେ ଯାଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ସନ୍ଧ୍ୟାରେ ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି, ଭାରତର ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ।ସେହିପରି ସଂସଦ ଭବନ ଦେଶର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ୱ କରେ । ଏହି ଦୁଇ ସଂସ୍ଥା ଭାରତୀୟ ଗଣତନ୍ତ୍ରର ପ୍ରତୀକ ଓ ସମ୍ବିଧାନ ଦ୍ୱାରା ଅଧିକାରପ୍ରାପ୍ତ । ଉଭୟ ସଂସ୍ଥାର ଅଧିକାର ଓ ଗରିମା ସୁରକ୍ଷିତ ରହିବା ଉଚିତ୍ । ସାମ୍ବିଧାନିକ ସଂସ୍ଥାଗୁଡିକୁ ଯେକୌଣସି ପ୍ରସଙ୍ଗରୁ ଊଦ୍ଧ୍ୱର୍ରେ ରଖାଯିବା ଉଚିତ୍ ବୋଲି ବିଜେଡି ବିଶ୍ୱାସ କରେ । ଏସବୁ ପ୍ରସଙ୍ଗରେ ପରବର୍ତ୍ତୀ ସମୟରେ ଗୃହରେ ବିତର୍କ କରାଯାଇ ପାରିବ । ତେଣୁ ବିଜେଡି ନିଶ୍ଚିତ ରୂପେ ଏହି ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଉପସ୍ଥିତ ରହିବ । ବିଜେଡି ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ସାଂସଦମାନେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ । ସେହିପରି ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଉତ୍ସବରେ ଉପସ୍ଥିତ ରହିବେ ବୋଲି ଦଳ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଘୋଷଣା କରାଯାଇଛି ।
ଗୃହମନ୍ତ୍ରୀ ଅମିତ୍ ଶାହା ବୁଧବାର କହିଛନ୍ତି, ଏହାକୁ ରାଜନୀତି ସହ ଯୋଡ଼ା ନଯାଉ । ଆମେ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଛୁ । ସମସ୍ତେ ଏଥିରେ ଯୋଗଦେବା ଆମେ ଚାହୁଁ । ଅପରପକ୍ଷେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି, ଗତ ନଅ ବର୍ଷ ଭିତରେ ୫ଟି ଅଣବିଜେପି ଓ ବିରୋଧୀ ଶାସିତ ରାଜ୍ୟ ସରକାରମାନେ ବିଧାନସଭା ଭବନର ଶିଳାନ୍ୟାସ ବା ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ଦଳର ଅଧ୍ୟକ୍ଷ ଏସବୁର ଉଦ୍ଘାଟନ କରିଛନ୍ତି । ଏଥିରୁ କୌଣସି ରାଜ୍ୟରେ ରାଜ୍ୟପାଳ ବା ରାଷ୍ଟ୍ରପତିଙ୍କୁ ଆମନ୍ତ୍ରିତ କରାଯାଇ ନାହିଁ । ଅସଲ କଥା ହେଲା- ବିରୋଧୀ ଦଳମାନେ ନୂଆ ଭବନର ନିର୍ମାଣ ଏତେ ଶୀଘ୍ର ସରିବ ବୋଲି ଭାବି ନ ଥିଲେ । ତେଣୁ ସେମାନେ ଏବେ ବୟକଟ୍ ନାଟକ କରୁଛନ୍ତି । ବୀର ସାବରକରଙ୍କ ଜନ୍ମ ତିଥିରେ ନୂଆ ସଂସଦ ଭବନ ଖୋଲିବ । ବିରୋଧୀମାନଙ୍କ ବହିଷ୍କାରର ଏହା ଅନ୍ୟ ଏକ କାରଣ ହୋଇ ଥାଇପାରେ ।
ପୁରୁଣା ସଂସଦ ଭବନ ୧୯୨୭ ଜାନୁଆରୀ ୧୮ ତାରିଖ ଦିନ ଭାରତର ବଡଲାଟ୍ ଲର୍ଡ ଇର୍ୱିନ୍ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏହାର ନିର୍ମାଣ ଆରମ୍ଭ ହୋଇଥିବା ୧୯୨୧ ଫେବ୍ରୁଆରୀ ୧୨ ତାରିଖ ଦିନ । ସ୍ଥପତି ରୂପେ ଏଡ୍ୱିନ୍ ଲୁ୍ୟଟେନ୍ସ ଓ ହର୍ବର୍ଟ ବେକର । ସେ ସମୟରେ ୮୩ ଲକ୍ଷ ଟଙ୍କା ବ୍ୟୟରେ ୬ ବର୍ଷରେ ଭବନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଥିଲା । ନୂଆ ସଂସଦ ଭବନ ୧୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ୨୦୨୦ ଡିସେମ୍ବର ୧୦ ତାରିଖରେ ଏହାର ଶିଳାନ୍ୟାସ କରିଥିଲେ । ୨୦୨୧ ଜାନୁଆରୀ ୧୫ରୁ କାମ ଆରମ୍ଭ ହୋଇ ୨୮ ମାସରେ ସରିଲା । ୨୦୨୬ରେ ସଂସଦୀୟ କ୍ଷେତ୍ରଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ହେଲେ ଉଭୟ ଲୋକସଭା ଓ ରାଜ୍ୟସଭାର ଆସନ ସଂଖ୍ୟା ବଢିବ ।
ଏହିସବୁ ପ୍ରତି ଧ୍ୟାନ ଦେଇ କେନ୍ଦ୍ର ସରକାର ନୂଆ ଭବନ ନିର୍ମାଣ ଘୋଷଣା କରିଥିଲେ । ୨୦୨୧ରେ ଏହାକୁ ବିରୋଧ କରି ଏକ ପିଆଇଏଲ୍ ଦାଖଲ ହୋଇଥିଲା ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଥିଲେ ।
ବିଶେଷଜ୍ଞଙ୍କ ମତରେ ନୂଆ ସଂସଦ ଭବନର ଉଦ୍ଘାଟନ କିଏ କରିବା ଉଚିତ୍ ସେ ବିଷୟରେ ସମ୍ବିଧାନରେ କିଛି ଉଲ୍ଲେଖ ନାହିଁ । ନୂଆ ଭବନ ଉଦ୍ଘାଟନ ନେଇ ବିବାଦ ଉଠିଲେ ପୂର୍ବ ପରମ୍ପରାକୁ ଅନୁସରଣ କରାଯାଇଥାଏ । ୧୯୭୫ରେ ସଂସଦର ଆନେକ୍ସି ଭବନକୁ ଉଦ୍ଘାଟନ କରିଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ସେହିପରି ୧୯୮୭ରେ ସଂସଦ ଲାଇବ୍ରେରୀର ଉଦ୍ଘାଟନ କରିଥିଲେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ।