କ୍ୱାଲିଫାୟର-୨ରେ ମୁମ୍ବାଇ

ଆଇପିଏଲ୍ ୧୬ରୁ ଲକ୍ଷ୍ନୌ ବିଦା

ଚେନ୍ନାଇ, ୨୪ା୫ (ଏଜେନ୍ସି): ଆକାଶ ମାଧୱାଲଙ୍କ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ବୁଧବାର ଚଳିତ ଆଇପିଏଲ୍ ସିଜନ୍ର ଏଲିମିନେଟର୍ ମ୍ୟାଚ୍ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସକୁ ୮୧ ରନ୍ରେ ପରାସ୍ତ କରିଛି । ରୋହିତ ଶର୍ମାଙ୍କ ଟିମ୍ କ୍ୱାଲିଫାୟର-୨ରେ ସ୍ଥାନ ପାଇଛି, ଯେଉଁଠି ୨୬ରେ ମୁମ୍ବାଇର ଗୁଜରାଟ ଟାଇଟନ୍ସ ସହ ମୁକାବିଲା ହେବ ।
୧୮୩ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ମୁମ୍ବାଇ ଟିମ୍ ୧୬.୩ ଓଭର୍ରେ ୧୦୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ୪୦ ରନ୍ କରିଥିଲେ । ବିପକ୍ଷ ବୋଲର୍ ଆକାଶ ମାଧୱାଲ ମାତ୍ର ୫ ରନ୍ ଦେଇ ୫ ୱିକେଟ୍ ନେଇଥିଲେ ।
ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୨୩ ରନ୍ରେ ଦୁଇ ଓପନର୍ଙ୍କ ୱିକେଟ୍ ହରାଇଥିଲା । ପ୍ରେରକ ମଙ୍କଡ଼ ୩ ରନ୍ କରି ଆକାଶ ମାଧୱାଲ୍ଙ୍କ ବଲ୍ରେ ପ୍ୟାଭିଲିଅନ୍ ଫେରିଥିବା ବେଳେ କାଇଲ୍ ମାୟର୍ସ ୧୮ ରନ୍ କରି ଜୋର୍ଡାନ୍ଙ୍କ ଶିକାର ହୋଇଥିଲେ ।
ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଥିଲା । ଟିମ୍ରେ କୁମାର କାର୍ତ୍ତିକେୟଙ୍କ ସ୍ଥାନରେ ରିତିକ୍ ଶୌକୀନଙ୍କୁ ସୁଯୋଗ ମିଳିଥିଲା ।
୩୮ ରନ୍ ମଧ୍ୟରେ ମୁମ୍ବାଇ ଟିମ୍ ଦୁଇ ଓପନର୍ଙ୍କୁ ହରାଇଥିଲା । ଅଧିନାୟକ ରୋହିତ ଶର୍ମା ଓ ଈଶାନ କିଶନ ୩୦ ରନ୍ ଯୋଗ କରିଥିଲେ । ରୋହିତ ମାତ୍ର ୧୧ ରନ୍ କରି ନବୀନ-ଉଲ୍-ହକ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଈଶାନ ବ୍ୟକ୍ତିଗତ ୧୫ ରନ୍ରେ ଯଶ ଠାକୁରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଏହାପରେ କାମେରନ୍ ଗ୍ରୀନ୍ ଓ ସୂର୍ଯ୍ୟକୁମାର ଯାଦବ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ଦ୍ରୁତ ଗତିରେ ଇନିଂସ୍କୁ ଆଗେଇ ନେଇଥିଲେ । ୧୦ ଓଭର୍ରେ ସ୍କୋର୍ ହୋଇଥିଲା ୯୮/୨ । କିନ୍ତୁ ୧୧ତମ ଓଭର୍ ପୁଣି ଥରେ ଟିମ୍କୁ ବ୍ୟାକ୍ଫୁଟ୍କୁ ନେଇଆସିଥିଲା ।
ନବୀନ ଏହି ଦୁଇ ବ୍ୟାଟର୍ଙ୍କୁ ପାଭିଲିଅନ୍ ପଠାଇଥିଲେ । ଚତୁର୍ଥ ବଲ୍ରେ ସୂର୍ଯ୍ୟକୁମାର (୨୦ ବଲ୍ରୁ ୩୩ ରନ୍) କେ. ଗୌତମଙ୍କୁ କ୍ୟାଚ୍ ଦେଇଥିବା ବେଳେ ଶେଷ ବଲ୍ରେ ଗ୍ରୀନ୍ (୨୩ ବଲ୍ରୁ ୪୧) ବୋଲ୍ଡ ହୋଇଥିଲେ । ୧୦୫ ରନ୍ରେ ଚତୁର୍ଥ ୱିକେଟ୍ ପଡ଼ିଥିଲା । ତୃତୀୟ ୱିକେଟ୍ ପାଇଁ ୩୮ ବଲ୍ରୁ ୬୬ ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ ତିଲକ ବର୍ମା ଓ ଟିମ୍ ଡେଭିଡ୍ ପଞ୍ଚମ ୱିକେଟ୍ ପାଇଁ ୩୩ ବଲ୍ରୁ ୪୩ ରନ୍ ଯୋଗ କରି ଇନିଂସ୍କୁ ଆଗକୁ ନେଇଥିଲେ । ଡେଭିଡ୍ (୧୩)ଙ୍କୁ ଆଉଟ୍ କରି ଯଶ ଏହି ଯୋଡ଼ି ଭାଙ୍ଗିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ତିଲକ ବର୍ମା ୨୬ ରନ୍ କରି ନବୀନଙ୍କ ଚତୁର୍ଥ ଶିକାର ହୋଇଥିବା ବେଳେ କ୍ରିସ୍ ଜୋର୍ଡାନ୍ (୪) ମୋହସିନ୍ ଖାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଶେଷ ଓଭର୍ର ଶେଷ ବଲ୍ରେ ନେହାଲ୍ ୱାଧେରା (୨୩) ଯଶଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ମୁମ୍ବାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ବିପକ୍ଷ ବୋଲର୍ ନବୀନ ୩୮ ରନ୍ ଦେଇ ୪, ଯଶ ୩ ଓ ମୋହସିନ୍ ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *