ଡ୍ରପ୍ଆଉଟ୍ରେ ଓଡ଼ିଶା ଟପ୍ପର
ଭୁବନେଶ୍ୱର,୨୪ା୫ (ତଥ୍ୟ): ଗତ ମାଟି୍ରକ ପରୀକ୍ଷା ସମୟରେ ପ୍ରାୟ ୧୩ ହଜାର ପିଲା ପରୀକ୍ଷା ଦେଇନଥିବାବେଳେ ଏମାନଙ୍କ ଅନୁପସ୍ଥିତି ସଂକ୍ରାନ୍ତରେ ସେଭଳି କିଛି ଠୋସ୍ ସୂଚନା ମିଳି ନାହିଁ । ତେବେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡିବା କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଥିବା ଜଣାଯାଇଛି । ଅଧାରୁ ପାଠ ପଢା ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ କେନ୍ଦ୍ର ଶିକ୍ଷା ବିଭାଗର ଏକ ସୂଚନାରୁ ଜଣାଯାଇଛି ଯେ ୨୦୨୧-୨୨ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ୨୭.୩% ପିଲା ଅଧାରୁ ପାଠ ଛାଡି ଦେଇଛନ୍ତି । ଏହି ସଂଖ୍ୟା ଦେଶରେ ସର୍ବାଧିକ । କେବଳ ଦେଶରେ ସର୍ବାଧିକ ନୁହେଁ ଲଗାତାର ଦୁଇବର୍ଷ ଧରି ଏହି ହାର ବଢି ବଢି ଚାଲିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ହାଇସ୍କୁଲ ସ୍ତରରେ ପ୍ରାୟ ୧୬ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଗୋଟିଏ ବର୍ଷରେ ତାହା ୧୧% ବୃଦ୍ଧି ପାଇଛି ।
୨୦୨୧-୨୨ ବର୍ଷରେ ହାଇସ୍କୁଲ ସ୍ତରରେ ମୋଟ୍ ୨୭.୩% ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ଏମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ସର୍ବାଧିକ ୨୯.୨% ଥିବାବେଳେ ଝିଅଙ୍କ ସଂଖ୍ୟା ୨୫.୨% ରହିଛି । ତେବେ ରାଜ୍ୟରେ ଏହିବର୍ଷ ଉଚ୍ଚ ପ୍ରାଥମିକ ସ୍ତରରେ ୭.୩% ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବାବେଳେ ସେମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ସର୍ବାଧିକ ୮% ରହିଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ପ୍ରାଥମିକ ସ୍ତରରେ ଯେତିକି ପିଲା ଓଡିଶାର ବିଦ୍ୟାଳୟରେ ଭର୍ତ୍ତି ହେଉଛନ୍ତି ସେମାନଙ୍କ ମଧ୍ୟରୁ କେହି ଅଧାରୁ ପାଠ ଛାଡୁଥିବା ସରକାରୀ ରେକର୍ଡରେ ନାହିଁ । ଏ କ୍ଷେତ୍ରରେ ମଣିପୁର, ମେଘାଳୟ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଢେର ଆଗରେ ରହିଛନ୍ତି । ତେବେ ରାଜ୍ୟର ଛାତ୍ରଛାତ୍ରୀମାନେ ଯେତେ ଯେତେ ଶ୍ରେଣୀ ଉପରକୁ ଉଠୁଛନ୍ତି ସେତେ ଅଧିକ ପରିମାଣରେ ଅଧାରୁ ପାଠ ଛାଡି ଦେଉଛନ୍ତି । ଜାତୀୟ ସ୍ତରରେ ୧୨.୬% ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବାବେଳେ ଆମ ରାଜ୍ୟରେ ଏହା ଦୁଇ ଗୁଣରୁ ଅଧିକ ରହିଛି । ସେହିଭଳି ହାଇସ୍କୁଲରେ ପଢୁଥିବା ପିଲାଙ୍କ ମଧ୍ୟରେ ୧୩% ପୁଅ ଓ ୧୨.୩% ଝିଅ ଅଧାରୁ ପାଠ ଛାଡୁଥିବା ଜଣାଯାଇଛି ।
ସରକାରୀ ସ୍ତରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପୋଷାକ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ମାଗଣା ପୁସ୍ତକ ଯୋଗାଇ ଦିଆଯାଉଥିବାବେଳେ ନବମ ଓ ଦଶମ ଶ୍ରେଣୀରେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଅନେକ ମାଗଣା ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହାବାଦ୍ ମାଟି୍ରକ ପରୀକ୍ଷାକୁ ଭୟକରି ହେଉ କିମ୍ବା ରୋଜଗାର ଆଶାରେ ଅନେକ ପୁଅ ବି ଅଧାରୁ ପାଠ ଛାଡି ଦେଉଛନ୍ତି । ତେବେ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଅଧାରୁ ପାଠ ଛାଡି ଦେଉଥିବା ଏହି ପିଲାମାନେ ପରବର୍ତ୍ତୀ ସମୟରେ କ’ଣ କରୁଛନ୍ତି ତାହାର ସଠିକ ହିସାବ କାହା ପାଖରେ ନାହିଁ । ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସ୍ୱେବୀମାନେ ମଧ୍ୟ ଏହାର ସଠିକ ହିସାବ ରଖୁ ନାହାନ୍ତି । ତେବେ କେତେକ ସୂଚନା ଅନୁଯାୟୀ ଅଧାରୁ ପାଠ ଛାଡୁଥିବା ବହୁ ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଉଥିବାରୁ ସେମାନଙ୍କ ସଂକ୍ରାନ୍ତରେ ସୂଚନା ସଂଗ୍ରହ ସହଜ ହେଉନାହିଁ ।
ହେଲେ ଅଧାରୁ ପାଠ ଛାଡିବା ତାଲିକାର ଶୀର୍ଷରେ ଥିବା ଆସାମ ଗୋଟିଏ ବର୍ଷରେ ୩୦.୩%ରୁ ୨୦.୩%କୁ ଖସିଥିବାବେଳେ ଓଡିଶା କିନ୍ତୁ ଏହି ସମୟରେ ୧୦% ବଢି ଦେଶର ଏକ ନମ୍ବର ସ୍ଥାନରେ ପହଞ୍ଚିବା ଆମର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।