କଲେଜ କ୍ୟାମ୍ପସ୍ରେ ମାଗଣା ୱାଇଫାଇ
ଭୁବନେଶ୍ୱର, ୨୫ା୫ (ବୁ୍ୟରୋ): ଏଣିକି କଲେଜ କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କୁ ମାଗଣା ଇଣ୍ଟରନେଟ୍ (ୱାଇଫାଇ) ସୁବିଧା ମିଳିବ । ଦିନକୁ ୧ ଜିବି ଡାଟା ଉପଲବ୍ଧ ହେବା ଦ୍ୱାରା ୮ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଗୁରୁବାର ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ମନ୍ତ୍ରୀ ରୋହିତ ପୂଜାରୀ ଏହି ସୂଚନା ଦେଇଛନ୍ତି । ମାଗଣା ୧ ଜିବି ଡାଟା ଯୋଗାଇଦେବା ନିମନ୍ତେ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବଦ୍ୟା ବିଭାଗ କାର୍ଯ୍ୟ କରୁଛି । ୨୦୧୬-୧୭ ଠାରୁ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଶତକଡା ୧ ସୁଧ ହାରରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି ଏବଂ ବଳକା ସୁଧର ଭାର ସରକାର ବହନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗର ବିଗତ ୪ ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ ।
ଉଚ୍ଚଶିକ୍ଷା ମନ୍ତ୍ରୀ ବିଭିନ୍ନ ଲକ୍ଷ୍ୟ ହାସଲ ଦିଗରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ସର୍ବଭାରତୀୟ ସେବା ପରୀକ୍ଷା ନିମନ୍ତେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ ନିମନ୍ତେ ସମସ୍ତ ବର୍ଗର ୨୦୦ ମେଧାବୀ ବେସାମରିକ ସେବା ଆଶାୟୀମାନଙ୍କ ପାଇଁ ମାଗଣାରେ ତାଲିମ ବ୍ୟବସ୍ଥା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇାଛି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଳ୍ପ କିଛି ବିଷୟର ବିକାଶ ନିମନ୍ତେ ସାରା ରାଜ୍ୟରେ ୧୧ ଗୋଟି ଉକ୍ରର୍ଷ କେନ୍ଦ୍ର (ସିଓଇ) କାର୍ଯ୍ୟ କରୁଛି । ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକର ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀମାନେ ବିଶେଷ କରି ବିଜ୍ଞାନ ଡିଗ୍ରୀ ପାଠ୍ୟକ୍ରମରେ ପଢିବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀମାନଙ୍କର ଯତ୍ନ ନେବା ନିମନ୍ତେ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମଞ୍ଚାସୀନ ଥିବାବେଳେ ବିଭାଗୀ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।