ଆଜି କ୍ୱାଲିଫାୟର୍-୨ରେ ଗୁଜରାଟ ବନାମ ମୁମ୍ବାଇ
ଆଇପିଏଲ୍-୧୬
ଅହମଦାବାଦ, ୨୫ା୫ (ଏଜେନ୍ସି): ଚଳିତ ଆଇପିଏଲ୍ ସିଜନ୍ର କ୍ୱାଲିଫାୟର୍-୨ ମ୍ୟାଚ୍ ଶୁକ୍ରବାର ଅନୁଷ୍ଠିତ ହେବ, ଯେଉଁଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ ।
ଲିଗ୍ ପର୍ଯ୍ୟାୟର ପଏଣ୍ଟ ତାଲିକାରେ ଗୁଜରାଟ ପ୍ରଥମ ସ୍ଥାନରେ ଥିବା ବେଳେ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିଥିଲା । କ୍ୱାଲିଫାୟର୍-୧ରେ ଗୁଜରାଟ ଟିମ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଠାରୁ ହାରି ଯାଇଥିଲା । ଅନ୍ୟପଟେ, ଏଲିମିନେଟର୍ରେ ମୁମ୍ବାଇ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସକୁ ସହଜରେ ହରାଇଥିଲା ।
ଷଷ୍ଠ ମୁକୁଟ ଆଶାରେ ଥିବା ରୋହିତ ଶର୍ମାଙ୍କ ଟିମ୍କୁ ଫାଇନାଲ୍କୁ ଯିବା ପାଇଁ ଗୁଜରାଟ ଆହ୍ୱାନକୁ ଅତିକ୍ରମ କରିବାକୁ ହେବ । ଏହି ସିଜନ୍ରେ ଦୁଇ ଟିମ୍ ତୃତୀୟ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ମୁମ୍ବାଇ ଗୋଟିଏ ଓ ଗୁଜରାଟ ଗୋଟିଏ ମ୍ୟାଚ୍ ଜିତିଛି ।
ଯଦି ମୁମ୍ବାଇ ଟିମ୍ ଗୁଜରାଟକୁ ହରାଇବାରେ ସଫଳ ହୁଏ, ତା’ହେଲେ ଆଇପିଏଲ୍ ଫାଇନାଲ୍ ‘ଏଲ୍-କ୍ଲାସିକୋ’ ହୋଇଯିବ । ଲା ଲିଗା ଅର୍ଥାତ୍ ସ୍ପେନିଶ୍ ଫୁଟ୍ବଲ୍ ଲିଗ୍ରେ ବାର୍ସିଲୋନା-ରିଅଲ୍ ମାଦ୍ରିଦ୍ ମୁକାବିଲା ପାଇଁ ଏହି ଶବ୍ଦର ବ୍ୟବହାର କରାଯାଏ । ଏହି ଶବ୍ଦର ଅର୍ଥ ଇଂରାଜୀର କ୍ଲାସିକ୍ ଶବ୍ଦ ସହ ସମାନ । ତେବେ ମୁମ୍ବାଇ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ର ଆହ୍ୱାନଙ୍କୁ ଅତିକ୍ରମ କରିବା ସହଜ ହେବ ନାହିଁ । ଗୁଜରାଟ ଲିଗ୍ ପର୍ଯ୍ୟାୟରେ ଭଲ ଖେଳ ପ୍ରଦର୍ଶନ କରିଛି ।