ପ୍ରତି ପଞ୍ଚାୟତରେ ଗଡ଼ିବ ମୋ ବସ୍
ଭୁବନେଶ୍ୱର, ୨୪ା୫ (ବୁ୍ୟରୋ): ଖୁବ ଶୀଘ୍ର ରାଜ୍ୟର ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍ । ଲକ୍ଷ୍ମୀ ଯୋଜନାରେ ଏଣିକି ଗ୍ରାମାଞ୍ଚଳରେ ପରିହନ ସେବା ଉପଲବ୍ଧ ହେବ । ଏହି ସେବା ବ୍ଲକରୁ ପ୍ରତି ପଞ୍ଚଚାୟତକୁ ଚାଲିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ୬ଟି ଜିଲ୍ଲାକୁ ହାତକୁ ନିଆଯାଇଛି । ଏହି ସବୁ ଜିଲ୍ଲା ହେଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କଳାହାଣ୍ଡି ଓ ଗଜପତି । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପଞ୍ଚାୟତକୁ ଚାଲିବ ମୋ ବସ୍ । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ । ସେ କହିଛନ୍ତି ଯେ ରାଜ୍ୟର ଏମିତି ଅନେକ ଅଞ୍ଚଳ ରହିଛି, ଯେଉଁଠାକୁ ଯୋଗାଯୋଗ ବ୍ୟବସ୍ଥା ନାହିଁ । ନା ସରକାରୀ ଗାଡ଼ି ଚାଲୁଛି ନା ପ୍ରାଇଭେଟ୍ । ଏହାକୁ ନେଇ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା । ଏବେ ଏହି ଦୁଃଖ ଦୂର ହେବାକୁ ଯାଉଛି । ଅପରପକ୍ଷରେ ୧୫ ବର୍ଷରୁ ଊଦ୍ଧ୍ୱର୍ ପ୍ରାୟ ୧୬ ଶହ ସରକାରୀ ଗାଡି ସ୍କ୍ରାପ୍ କରଯାଉଛି । ପ୍ରଥମ ପର୍ଯ୍ୟାୟରେ ଏଥିଲାଗି ଭାରତ ସରକାର ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଧୀରେ ଧୀରେ ସରକାରଙ୍କ ପାଖରେ ଥିବା ସମସ୍ତ ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି ସ୍କ୍ରାପ୍ କରାଯାଉଛି ।