ମୁଣ୍ଡଳୀ ଗେଟ୍ରେ ପର୍ଯ୍ୟଟକଙ୍କୁ ଆକ୍ରମଣ
କଟକ, ୨୪ା୫(ବୁ୍ୟରୋ): କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ମୁଣ୍ଡଳୀସ୍ଥିତ ଟୋଲ୍ଗେଟ୍ରେ ଛତିଶଗଡର ପର୍ଯ୍ୟଟକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରଶାସନ ପକ୍ଷରୁ ଟୋଲଗେଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏହି ଗେଟକୁ ବୁଧବାର ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।
କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଆଠଗଡ ଥାନା ଅନ୍ତର୍ଗତ ପାଠେଣିଗାଁର ସନ୍ତୋଷ ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ ଓ ଦେବେନ୍ଦ୍ର ପ୍ରଧାନଙ୍କ ପୁଅ ଦୀପକ ପ୍ରଧାନ ଓରଫ ବୁବୁ, ଢେଙ୍କାନାଳ ଜିଲ୍ଲା କାମଧେନୁକୋର୍ଟର ସୁନାମ ବେହେରାଙ୍କ ପୁଅ ମନୋରଂଜନ ବେହେରା ଓରଫ ଲିପୁଏବଂ କଦମପାଟଣା ଗ୍ରାମର ରାଜୁ ବାରିକ ।
ମଙ୍ଗଳବାର ଛତିଶଗଡର ଦୁଇଟି ବସ୍ରେ ପର୍ଯ୍ୟଟକମାନେ ଓଡିଶାର ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ ସାରି ଫେରୁଥିବା ବେଳେ ଟୋଲ ଟିକସକୁ ନେଇ ବଚସା ହୋଇଥିଲା । ଟୋଲଗେଟ କର୍ମଚାରୀ ମାନେ ବସ୍ ପିଛା ୫ଶହ ଟଙ୍କା ମାଗିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍ଜ । ଟୋଲଗେଟ କର୍ମଚାରୀମାନେ ପର୍ଯ୍ୟଟକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏପରିକି ମହିଳା ଏବଂ ଶିଶୁ ମଧ୍ୟ ଆକ୍ରମଣରୁ ବର୍ତ୍ତି ନ ଥିଲେ । ଆକ୍ରମଣରେ ଦୁଇ ମହିଳା ସମେତ ୧୦ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଆଠଗଡ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଆହତଙ୍କ ଚିକତ୍ସା ବ୍ୟବସ୍ଥା କରାଇଥିଲା । ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାର ହେବା ସହ ବିଜେପି ପକ୍ଷରୁ ବୁଧବାର ଆଠଗଡରେ ରାସ୍ତାରୋକ, ଧାରଣା ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଆଶ୍ରୟ ଦିଆଯିବା ସହ ସେମାନଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ଏଥିସହ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ତାଙ୍କ ରାଜ୍ୟକୁ ପଠାଯିବା ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଟୋଲ୍ଗେଟ୍ ବନ୍ଦ ରହିବ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି ।