ଇଶିତା ଟପ୍ପର୍
ସିଭିଲ୍ ସର୍ଭିସ୍ ଫଳ ପ୍ରକାଶ
ନୂଆଦିଲ୍ଲୀ, ୨୩ା୫: ସଂଘ ଲୋକସେବା ଆୟୋଗ (ୟୁପିଏସ୍ସି) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୨ର ଚୂଡ଼ାନ୍ତ ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଗ୍ରେଟର ନୋଏଡାର ଇଶିତା କିଶୋର ଏହି ପରୀକ୍ଷାରେ ହୋଇଛନ୍ତି ଟପ୍ପର୍ । ଟପ୍ ୪ରେ ଅଛନ୍ତି ୪ଜଣ ମହିଳା । ଗତ ବର୍ଷ ମଧ୍ୟ ଶୀର୍ଷ ୩ ର୍ୟାଙ୍କ୍ ମହିଳାଙ୍କୁ ମିଳିଥିଲା । ଏଥର ୫ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ ।
ଏଥର ଓଡ଼ିଶାରୁ ୨୫ ଜଣଙ୍କୁ ର୍ୟାଙ୍କ୍ ମିଳିଛି । ସେମାନଙ୍କ ମଧ୍ୟରୁ ୮ଜଣ ପ୍ରଥମ ୧୦୦ ର୍ୟାଙ୍କ୍ ମଧ୍ୟରେ ଅଛନ୍ତି । ଅନୁପ ଦାସ ୩୮ ର୍ୟାଙ୍କ୍ରେ ଥିବାବେଳେ ପ୍ରଣୀତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ଓ କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଏବଂ ପ୍ରଶାନ୍ତ ରାଜ ୯୭ ର୍ୟାଙ୍କ୍ ପାଇଛନ୍ତି । ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ର୍ୟାଙ୍କ୍ରେ ଥିବାବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗାପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟପ୍ରକାଶ ମିଶ୍ର ୨୬୧, ଆୟୁୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ୍ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବିରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ର୍ୟାଙ୍କ୍ ପାଇଛନ୍ତି ।
ଏହି ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୧୦ ଜଣ ହେଲେ: ୧. ଇଶିତା କିଶୋର, ୨. ଗରିମା ଲୋହିୟା, ୩. ଉମା ହରିତ ଏନ୍, ୪. ସ୍ମୃତି ମିଶ୍ର, ୫. ମୟୂର ହଜାରିକା, ୬. ଗହନା ନବ୍ୟା ଜେମ୍ସ, ୭. ୱସିମ୍ ଅହମଦ, ୮. ଅନିରୁଦ୍ଧ ଯାଦବ, ୯. କନିକା ଗୋୟଲ, ୧୦. ରାହୁଲ ଶ୍ରୀବାସ୍ତବ । ଟପ୍ପର ଇଶିତାଙ୍କ ପିତା ବାୟୁସେନାର ଜଣେ ଅଧିକାରୀ । ଇଶିତା ୨୦୧୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀରାମ କଲେଜ ଅଫ୍ କମର୍ସରୁ ଅର୍ଥଶାସ୍ତ୍ର (ଅନର୍ସ)ରେ ଗ୍ରାଜୁଏସନ୍ କରିଥିଲେ । ତୃତୀୟ ଉଦ୍ୟମରେ ସେ ସିଭିଲ୍ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବରୁ ୨ଥର ସେ ପ୍ରିଲିମ୍ସ ପାସ୍ କରି ପାରି ନ ଥିଲେ ।ତାଙ୍କ ଅପ୍ସନାଲ୍ ସବ୍ଜେଟ୍ ଥିଲା ପଲିଟିକାଲ୍ ସାଇନ୍ସ ଓ ଇଣ୍ଟରନାସନାଲ ରିଲେସନ୍ସ । କୋଚିଂ ନ ନେଇ ଘରେ ରହି ସେ ପ୍ରସ୍ତୁତ ହୋଇଥିଲେ । ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଗରିମା ବକ୍ସର ଜିଲ୍ଲା ଅଧିବାସୀ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର କମର୍ସ ଗ୍ରାଜୁଏଟ୍ ଗରିମା କରୋନା କାଳରେ ଅନ୍ଲାଇନ୍ କୋର୍ସେସ୍ ମାଧ୍ୟମରେ ପ୍ରସ୍ତୁତି ଜାରି ରଖିଥିଲେ ।
ୟୁପିଏସ୍ସି ପକ୍ଷରୁ ଆଇଏଏସ୍, ଆଇପିଏସ୍ ସମେତ ୧୦୧୧ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଏଥର ମୋଟ ୯୩୩ ପ୍ରାର୍ଥୀଙ୍କୁ ସିଭିଲ୍ ସର୍ଭିସେସ୍ ପାଇଁ ଚୟନ କରାଯାଇଛି । ସେଥିରୁ ୩୪୫ ଜଣ ସାଧାରଣ ବର୍ଗର, ୯୯ ଜଣ ଇଡବ୍ଲୁ୍ୟଏସ୍, ୨୬୩ ଓବିସି, ୧୫୪ ଏସ୍ସି, ୭୨ଜଣ ଏସ୍ଟି ବର୍ଗର । ଏମାନଙ୍କ ବାଦ୍ ୧୭୮ ପ୍ରାର୍ଥୀଙ୍କ ରିଜର୍ଭ ଲିଷ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । କୃତକାର୍ଯ୍ୟ ହୋଇଥିବା ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ଜଣ ଆଇଏଏସ୍, ୩୮ ଆଇଏଫ୍ଏସ୍, ୨୦୦ ଆଇପିଏସ୍ ପଦ ପାଇଁ ଚୟନ ହୋଇଛନ୍ତି ।
ୟୁପିଏସ୍ସି ପକ୍ଷରୁ ୩ ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ସାକ୍ଷାତକାର ନିଆଯାଇଥିଲା । ଏହାର ତୃତୀୟ ତଥା ଚୁଡ଼ାନ୍ତ ପର୍ଯ୍ୟାୟ ସରିଥିଲା ଚଳିତ ମାସ ୧୮ ତାରିଖ ଦିନ । ପ୍ରାରମ୍ଭିକ (ପ୍ରିଲିମ୍ସ) ପରୀକ୍ଷାରେ ୫ ଲକ୍ଷରୁ ଅଧିକ ପ୍ରାର୍ଥୀ ବସିଥିଲେ । ଗତ ସେପ୍ଟେମ୍ବରରେ ହୋଇଥିବା ମୁଖ୍ୟ (ମେନ୍ସ) ପରୀକ୍ଷା ଦେଇଥିଲେ ୧୩୦୯୦ ଜଣ । ସେମାନଙ୍କ ମଧ୍ୟରୁ ୨୫୨୯ ଜଣଙ୍କୁ ଜାନୁଆରୀରୁ ମେ’ ଭିତରେ ସାକ୍ଷାତକାର ପାଇଁ ଡକାଯାଇଥିଲା ।