ଗୁଜରାଟକୁ ୧୭୩ ବିଜୟ ଲକ୍ଷ୍ୟ

ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍
ଚେନ୍ନାଇ, ୨୩ା୫ (ଏଜେନ୍ସି): ଋତୁରାଜ ଗାଏକୱାଡ଼ଙ୍କ ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପର୍ କିଙ୍ଗ୍ସ ମଙ୍ଗଳବାର ଚଳିତ ଆଇପିଏଲ୍ ସିଜନ୍ର ପ୍ରଥମ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସକୁ ୧୭୩ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ଗୁଜରାଟ ଟିମ୍ ୧୮ ଓଭର୍ରେ ୮ ୱିକେଟ୍ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା । ରଶିଦ୍ ଖାନ୍ ୨୬ ଓ ନୂର୍ ଅହମଦ ୧ ରନ୍ କରି ଅପରାଜିତ ଥିଲେ ।
୧୭୩ ରନ୍ ଟାର୍ଗେଟ୍ ନେଇ ଖେଳିଥିବା ଗୁଜରାଟ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮୮ ରନ୍ ମଧ୍ୟରେ ଅଧା ଖେଳାଳିଙ୍କୁ ହରାଇଥିଲା । ଟିମ୍ର ଓପନିଂ ଯୋଡ଼ି ମାତ୍ର ୨୨ ରନ୍ରେ ଭାଙ୍ଗିଥିଲା । ରିଦ୍ଧିମାନ ସାହା ୧୨ ରନ୍ କରି ଦୀପକ ଚାହରଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଶୁଭମନ ଗିଲ୍ଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିବା ହାର୍ଦ୍ଦିକ ବିଫଳ ହୋଇଥିଲେ । ସେ ୮ ରନ୍ କରି ମହୀଶ ତୀକ୍ଷଣାଙ୍କ ଶିକାର ହୋଇଥିଲେ ।
ଏହାପରେ ଦାସୁନ ଶନକା (୧୭) ଓ ଡେଭିଡ୍ ମିଲର୍ (୪) ରବୀନ୍ଦ୍ର ଜାଡ଼େଜାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଗିଲ୍ (୩୮ ବଲ୍ରୁ ୪୨)ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ଚାହର । ରାହୁଲ ତେୱାଟିଆ (୩)ଙ୍କ ୱିକେଟ୍ ତୀକ୍ଷଣାଙ୍କ ଖାତାକୁ ଯାଇଥିଲା । ବିଜୟ ଶଙ୍କର (୧୪)ଙ୍କୁ ପାଥିରାନା ଆଉଟ୍ କରିଥିବା ବେଳେ ଦର୍ଶନ ନାଲକଣ୍ଡେ କୌଣସି ସ୍କୋର୍ ନ କରି ରନ୍ଆଉଟ୍ ହୋଇଯାଇଥିଲେ ।
ଏହା ପୂର୍ବରୁ ଗୁଜରାଟ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ରେ ଯଶ ଦୟାଲ୍ଙ୍କ ସ୍ଥାନରେ ଦର୍ଶନ ନାଲକଣ୍ଡେଙ୍କୁ ସୁଯୋଗ ଦିଆଯାଇଥିଲା । ଅନ୍ୟପଟେ, ଚେନ୍ନାଇ ଟିମ୍ ଅପରିବର୍ତ୍ତିତ ରହିଥିଲା ।
ଚେନ୍ନାଇ ଟିମ୍ ପ୍ର୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା । ଋତୁରାଜ ୪୪ ବଲ୍ରୁ ସର୍ବାଧିକ ୬୦ ରନ୍ କରିଥିଲେ । ବିପକ୍ଷ ବୋଲର୍ ମହମ୍ମଦ ଶାମୀ ଓ ମୋହିତ ଶର୍ମା ୨ ଲେଖାଏଁ ଏବଂ ଦର୍ଶନ, ରଶିଦ୍ ଖାନ୍ ଓ ନୂର୍ ଅହମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଋତୁରାଜ ଓ ଡେଭନ୍ କନୱେଙ୍କ ଯୋଡ଼ି ୬୩ ବଲ୍ରୁ ୮୭ ରନ୍ର ଭାଗୀଦାରୀ କରିଥିଲେ । ୩୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ଋତୁରାଜ ୭ ଚୌକା ଓ ୧ ଛକା ସହାୟତାରେ ୬୦ ରନ୍ କରି ମୋହିତଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଶିବମ୍ ଦୁବେ ୧ ରନ୍ କରି ନୂର୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଏହାପରେ କନୱେ ଓ ନୂଆ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ତୃତୀୟ ୱିକେଟ୍ ପାଇଁ ୩୧ ରନ୍ ଯୋଗ କରିଥିଲେ । ରାହାଣେ ୧୭ ରନ୍ କରି ଦର୍ଶନଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ କନୱେ (୩୪ ବଲ୍ରୁ ୪୦) ଶାମୀଙ୍କ ଶିକାର ହୋଇଥିଲେ ।
ଅମ୍ବାତି ରାୟୁଡ଼ୁ (୧୭) ପଞ୍ଚମ ବ୍ୟାଟର୍ ଭାବେ ରଶିଦ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଧିନାୟକ ମହେନ୍ଦ୍ର ସିଂ ଧୋନି (୧) ନିରାଶ କରିଥିଲେ । ତାଙ୍କ ୱିକେଟ୍ ମୋହିତଙ୍କ ଖାତାକୁ ଯାଇଥିଲା । ଶେଷ ଓଭର୍ର ଶେଷ ବଲ୍ରେ ରବୀନ୍ଦ୍ର ଜାଡ଼େଜା (୧୬ ବଲ୍ରୁ ୨୨ ରନ୍) ଶାମୀଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ମୋଇନ୍ ଅଲୀ ୯ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *