ମେଘୱାଲ ନୂଆ ଆଇନ ମନ୍ତ୍ରୀ

କିରେନ ରିଜିଜୁଙ୍କ ଡିମୋସନ୍
ଭୂ-ବିଜ୍ଞାନ ମନ୍ତ୍ରାଳୟ ଦାୟିତ୍ୱରେ ରିଜିଜୁ
ନୂଆଦିଲ୍ଲୀ, ୧୮ା୫: ମୋଦି ସରକାରରେ ଆଇନ ମନ୍ତ୍ରୀ ଥିବା କିରେନ ରିଜିଜୁଙ୍କ ବିଭାଗ ବଦଳାଇ ଦିଆଯାଇଛି । ଏବେ ସେ ଭୂ-ବିଜ୍ଞାନ (ଆର୍ଥ ସାଇନ୍ସ) ମନ୍ତ୍ରାଳୟ ଦାୟିତ୍ୱରେ ରହିବେ । ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରୀ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ,ମେଘୱାଲ ଆଇନ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ରହିବେ । ଏଥିସହିତ ଆଇନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରଫେସର ଏସପି ସିଂହ ବଘେଲଙ୍କ ମନ୍ତ୍ରାଳୟ ମଧ୍ୟ ବଦଳାଇ ଦିଆଯାଇଛି । ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି । ନବନିଯୁକ୍ତ ଆଇନ ମନ୍ତ୍ରୀ ମେଘୱାଲ ଆଇଏଏସ ଚାକିରି ଛାଡ଼ି ୨୦୦୯ରେ ବିକାନେରରୁ ବିଜେପି ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ୨୦୧୪ ଓ ୨୦୧୯ରେ ସେ କ୍ରମାଗତ ସାଂସଦ ନିର୍ବାଚିତ ହୋଇଥିଲେ । ସରକାର ତାଙ୍କୁ କାର୍ ଦେଇଛନ୍ତି, ହେଲେ ସେ ସାଇକେଲରେ ସଂସଦ ଭବନ ଯିବାକୁ ପସନ୍ଦ କରିଥାନ୍ତି ।
ରିଜିଜୁଙ୍କୁ ରବିଶଙ୍କର ପ୍ରସାଦଙ୍କ ସ୍ଥାନରେ ୨୦୨୧ ଜୁଲାଇରେ ଆଇନ ମନ୍ତ୍ରୀ ନିଯୁକ୍ତ କରାଯାଇଥିଲା । ୨୦୧୯ରେ ସେ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ । ଜଜ୍ ନିଯୁକ୍ତି ଉପରେ ଟିପ୍ପଣୀକୁ ନେଇ ରିଜିଜୁ ବିବାଦୀୟ ହୋଇ ପଡ଼ିଥିଲେ । ତାଙ୍କ ଯୋଗୁ ସରକାର ବନାମ ନ୍ୟାୟପାଳିକା ଏକ ବଡ଼ ପ୍ରସଙ୍ଗ ହୋଇଥିଲା । ରିଜିଜୁ ମଧ୍ୟ କଲେଜିୟମ ଓ ଅବସରପ୍ରାପ୍ତ ବିଚାରପତିମାନଙ୍କ ଉପରେ ବିବାଦୀୟ ବିବୃତି ଦେଇଥିଲେ । ସେ କହିଥିଲେ, ଦେଶରେ କେହି କାହାକୁ ଚେତାବନୀ ଦେଇପାରିବେ ନାହିଁ । କେତେକ ଅବସରପ୍ରାପ୍ତ ଜଜ୍ ଭାରତ ବିରୋଧୀ ଗ୍ରୁପ୍ରେ ସାମିଲ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *