ଆହୁରି ଚାରି ଦିନ କଲବଲ କରିବ ତାତି
ଭୁବନେଶ୍ୱର,୧୭ା୫(ବୁ୍ୟରୋ) : ରାଜ୍ୟରେ ଖରାର ପ୍ରକୋପ ଥମିବାର ନାଁ ଧରୁନି । ଆସନ୍ତା ୨୧ରୁ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା ରହିଥିବା ବେଳେ ଉପକୂଳ ଓଡ଼ିଶାକୁ ସମାନ୍ୟ ଆଶ୍ୱସ୍ତି ମିଳିପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏହା ସହ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ଜୋର ପବନ ବହିବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟା ପରି ଆଗାମୀ ୪ ଦିନ ମଧ୍ୟରେ କେନ୍ଦୁୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶାରେ ବର୍ଷା ପ୍ରଭାବରେ ତାପମାତ୍ରା ସାମାନ୍ୟ କମ୍ ରହୁଥିବା ବେଳେ ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅପରିବର୍ତ୍ତିତ ରହିବ । ଗୁରୁବାର ରାଜ୍ୟରେ ୨୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅନୁଗୁଳ ଓ ସୋନପୁରରେ ପାରଦ ୪୪.୧ ଡିଗ୍ରୀ ଛୁଇଁଥିବା ବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡରେ ୪୩.୫, ସମ୍ବଲପୁରରେ ୪୩.୪, ଝାରସୁଗୁଡାରେ ୪୩.୪, ଭବାନୀପାଟଣାରେ ୪୩, ହୀରାକୁଦରେ ୪୨.୯, ମାଲକାନ୍ଗିରିରେ ୪୨.୬, ବଲାଙ୍ଗିରରେ ୪୨.୫, ତାଲଚେରରେ ୪୨.୪, ରାଉରକେଲାରେ ୪୨.୨, ନୂଆପଡା, ସୁନ୍ଦରଗଡ ଓ ବରଗଡରେ ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାରିପଦାର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ରହିଥିବା ବେଳେ ଭଦ୍ରକ ଓ ଫୁଲବାଣୀରେ ୪୧ , ଦେବଗଡରେ ୪୦.୫, କେନ୍ଦ୍ରାପଡା ଓ ଚାନ୍ଦବାଲିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଟ୍ୱିନ୍ ସିଟୀ କଟକ ଓ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି ।