ଓଡ଼ିଶାରୁ ଦେଢ଼କୋଟି ଲିଟର ଇଥାନେଲ ଖରିଦ

ଭୁବନେଶ୍ୱର,୧୭ା୫(ତଥ୍ୟ): ପେଟ୍ରୋଲରେ ଇଥାନେଲ ମିଶ୍ରଣ ଉପରେ କେନ୍ଦ୍ର ସରକାର ଜୋର ଦେବା ସହିତ ୨୩ଟି ରାଜ୍ୟରୁ ୮୦କୋଟି ଲିଟରରୁ ଅଧିକ ଇଥାନେଲ ଖରିଦ କରିଛନ୍ତି । ଏଥି ମଧ୍ୟରେ ଓଡିଶାରୁ ୧.୫୫ କୋଟି ଲିଟର ଇଥାନେଲ ଖରିଦ କରିଥିବା ଜଣାଯାଇଛି ।
ତେବେ କେନ୍ଦ୍ର ସରକାରଙ୍କୁ ସବୁଠାରୁ ଅଧିକ ୧୩.୪୮ କୋଟି ଲିଟର ଇଥାନେଲ ବିକ୍ରି କରିଛି ଉତ୍ତରପ୍ରଦେଶ । ଏଥିସହିତ ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ୧.୯୦ କୋଟି ଲିଟର ଇଥାନେଲ ବିକ୍ରି କରିଥିବାବେଳେ ଆନ୍ଧ୍ରପ୍ରଦେଶ ୩.୯୮ କୋଟି ଲିଟର, ଛତିଶଗଡ ୧.୪୭ କୋଟିଲିଟର ଓ ଝାଡଖଣ୍ଡ ପାଖପାଖି କୋଟିଏ ଲିଟର ଇଥାନେଲ ବିକ୍ରି କରିଛି । ପେଟ୍ରୋଲରେ ଇଥାନେଲ ମିଶ୍ରଣ ହେବାପରେ ୨୦୨୧-୨୨ ବର୍ଷରେ ସମଗ୍ର ଦେଶରେ ୩୦୭୩ ହଜାର ମେଟି୍ରକ ଟନ୍‌ ପେଟ୍ରୋଲ ସଞ୍ଚୟ ହୋଇପାରିଛି । ସେହିଭଳି ଡିଜେଲରେ ଜୈବିକ ଡିଜେଲ ମିଶ୍ରଣ ଯୋଗୁଁ ୨୦୨୨-୨୩ ବର୍ଷରେ ୪୭ହଜାର ମେଟି୍ରକ ଟନ୍‌ ଡିଜେଲ ସଞ୍ଚୟ ହୋଇପାରିଛି । କେନ୍ଦ୍ର ସରକାର ସେପ୍ଟେମ୍ବର ୨୦୧୯ରୁ ୨୦୨୨ ଡିସେମ୍ବର ମଧ୍ୟରେ ୧୫,୮୨୯ ଟନ୍‌ର କମ୍ପ୍ରେସଡ୍‌ ବାୟୋ ଗ୍ୟାସ (ସିବିଜି) ଖରିଦ କରିଛନ୍ତି ।
ସମଗ୍ର ଦେଶରେ ଜୈବିକ ଇନ୍ଧନ ଉତ୍ପାଦନକୁ ପ୍ରୋସôାହିତ କରିବାପାଇଁ କେନ୍ଦ୍ର ସରକାର ଇତି ମଧ୍ୟରେ କେତେଗୁଡିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥି ମଧ୍ୟରେ ୨୦୧୮ରେ ଜାତୀୟ ବାୟୋ ଫୁଏଲ ନୀତି, ପ୍ରଧାନ ମନ୍ତ୍ରୀ ଜୈବ ଇନ୍ଧନ -ବାତାବରଣ ଅନୁକୂଳ ଫସଲ ଅବଶେଷ ନିବାରଣ ଯୋଜନା ସହିତ ଶତତ ଏସଏଟିଏଟି ଯୋଜନା ବି କାର୍ଯ୍ୟକାରୀ ହେଉଛି । ତେବେ ଓଡିଶାରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦ ହୋଇଯିବା ପରେ ଇଥାନେଲ ଉତ୍ପାଦନ ଅନ୍ୟ ବହୁ ରାଜ୍ୟ ତୁଳନାରେ କମ୍‌ ଇଥାନେଲ ଉତ୍ପାଦନ ହେଉଛି । କେନ୍ଦ୍ର ସରକାର ଧାନ ନଡାରୁ ଇଥାନେଲ ଉତ୍ପାଦନ ପାଇଁ ଓଡିଶାରେ ପ୍ରକଳ୍ପ ପ୍ରତିଷ୍ଠା କରୁଥିବାରୁ ଆଗାମୀ ଦିନରେ ଏହାର ଉତ୍ପାଦନ ବଢିବ । ସେହିଭଳି କେନ୍ଦ୍ର ସରକାର ୧୪ଟି ରାଜ୍ୟରେ ୫୭ଟି ବାୟୋ-ସିଏନ୍‌ଜି ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି । ଏହାର ମୋଟ୍‌ କ୍ଷମତା ଦୈନିକ ୨,୬୪,୪୬୭ କିଲୋ ଥିବାବେଳେ ଓଡିଶାରେ କିନ୍ତୁ ଗୋଟିଏ ହେଲେ ପ୍ରକଳ୍ପ ନାହିଁ । ଆନ୍ଧ୍ରପ୍ରଦେଶରେ ୫ଟି ପ୍ରକଳ୍ପ ଥିବାବେଳେ ପଶ୍ଚିମବଙ୍ଗରେ ଗୋଟିଏ ଛତିଶଗଡରେ ଗୋଟିଏ ପ୍ରକଳ୍ପ ରହିଛି । ସର୍ବାଧିକ ୧୩ଟି ପ୍ରକଳ୍ପ ଗୁଜୁରାଟରେ ଥିବାବେଳେ ମହାରାଷ୍ଟ୍ରରେ ୭ଟି ଏବଂ ହରିଆନା, ଉତ୍ତରପ୍ରଦେଶରେ ୫ଟିକରି ରହିଛି ।
ସେହିଭଳି ରାଜ୍ୟରେ ବାୟୋଡିଜେଲ ଉତ୍ପାଦନ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସେଥିରୁ ସେଭଳି ସୁଫଳ ମିଳିପାରି ନାହିଁ । ରାଜ୍ୟରେ ଏଭଳି ଚାଷପାଇଁ ବିସ୍ତୀର୍ଣ୍ଣ ଜମି ଥିବାବେଳେ ରାଜ୍ୟର ଚାଷୀଙ୍କ ମଧ୍ୟରେ ସେଥିପ୍ରତି ଆଗ୍ରହ ନଥିବା ଲକ୍ଷ୍ୟ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *