୩ ଜିଲ୍ଲାର ୯ ସହରରେ ମୋ ବସ୍ ସେବା

ଭୁବନେଶ୍ୱର,୧୮ା୫(ବୁ୍ୟରୋ): ସହରାଞ୍ଚଳ ଗୁଡ଼ିକରେ ଉନ୍ନତମାନର ବସ୍ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ବସ୍’ ସେବାକୁ ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ନଅଟି ସହରାଞ୍ଚକୁ ସାମିଲ ପାଇଁ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ସମ୍ବଲପୁର-ଝାରସୁଗଡା-ବ୍ରଜରାଜନଗର-ବେଲପାହଡ଼ କ୍ଲଷ୍ଟର ଏବଂ ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି କ୍ଲଷ୍ଟର ଆଦି ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ । ମୋ ବସ୍ର ଏହି ସମ୍ପ୍ରସାରଣ ତିନୋଟି ଜିଲ୍ଲାର ପ୍ରାୟ ୧୧ ଲକ୍ଷ ୬୧ ହଜାର ସହରାଞ୍ଚଳ ଲୋକଙ୍କୁ ପରିବହନ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି । ମୋ ବସ୍ ସେବା’ ଯାହା ୬ ନଭେମ୍ବର ୨୦୧୮ ରେ ଏସପିଭି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ ରାଜଧାନୀ ଭୂବନେଶ୍ୱରରେ ଆରମ୍ଭ ହୋଇଥିଲା । ଏଥିରେ ୩୯୦ ଟି ବସ୍ ସହିତ ଦିନକୁ ୨.୩ ଲକ୍ଷ ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲ୍ଲାକୁ ଅର୍ନ୍ତଭୁକ୍ତ କରିଛି । ଗତ ସାଢେ ୪ ବର୍ଷ ମଧ୍ୟରେ ଓଡିଶାର ମୋ ବସ’୍ ସେବା ନାଗରିକଙ୍କୁ ଦୈନନ୍ଦିନ ଯାତାୟାତରେ ବହୁ ମାତ୍ରାରେ ସହଜ କରିଛି । ଫଳରେ ଅନେକଙ୍କ ପାଇଁ ମୋ ବସ୍’ ପରିବହନ ସବୁଠାରୁ ପସନ୍ଦ ଯୋଗ୍ୟ ଭାବେ ପରିଣତ ହୋଇଛି । କ୍ରୁଟ୍ ଭୁବନେଶ୍ୱର ସହରାଞ୍ଚଳ ପରିବହନ କ୍ଷେତ୍ର, କଟକ ସହରାଞ୍ଚଳ ପରିବହନ କ୍ଷେତ୍ର, ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ସହରୀ ବସ୍ ସେବା ଯୋଗାଇବା ପାଇଁ ଅନୁମତି ପାଇଛି ।