ମୌସୁମୀ ୪ ଦିନ ବିଳମ୍ବ
ନୂଆଦିଲ୍ଲୀ, ୧୬ା୫: ଚଳିତ ବର୍ଷ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାରେ ସାମାନ୍ୟ ବିଳମ୍ବ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଙ୍ଗଳବାର ବୁଲେଟିନ୍ ଜାରି କରି ଏହି ସୂଚନା ଦେଇଛି । ସେଥିରେ କୁହାଯାଇଛି ଏ ବର୍ଷ ମୌସୁମୀ ୪ ଦିନ ବିଳମ୍ବରେ ଆସି ଜୁନ୍ ୪ ସୁଦ୍ଧା କେରଳ ଉପକୂଳ ଛୁଇଁପାରେ । ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧ରେ କେରଳ ପ୍ରବେଶ କରିଥାଏ । ଏହାର ପ୍ରାୟ ୭-୮ ଦିନ ପରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରେ । ତେଣୁ ଏ ବର୍ଷ ରଜସୁଦ୍ଧା ଅର୍ଥାତ୍ ଜୁନ୍ ୧୩ ପୂର୍ବରୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା ରହିଛି । ଗତବର୍ଷ କେରଳରେ ମୌସୁମୀ ମେ’ ୨୯ରେ, ୨୦୨୧ରେ ଜୁନ୍ ୩ରେ ଓ ୨୦୨୦ରେ ଜୁନ୍ ୧ରେ ପ୍ରବେଶ କରିଥିଲା ।
ଗତମାସରେ ଆଇଏମ୍ଡି ପକ୍ଷରୁ କୁହାଯାଇଥିଲା ଯେ, ଏଲ୍ ନିନୋ ସ୍ଥିତି ସତ୍ତ୍ୱେ ମୌସୁମୀ ଋତୁରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଲଙ୍ଗ୍ ପିରିୟଡ୍ ଆଭରେଜ୍ (ଏଲ୍ପିଏ)ରେ ୯୬ ପ୍ରତିଶତ ବୃଷ୍ଟିପାତ ହୋଇପାରେ । ଯଦି ଏଲ୍ପିଏରେ ବର୍ଷା ପରିମାଣ ୯୦%-୯୫% ମଧ୍ୟରେ ରହିଲେ, ତାହାକୁ ସ୍ୱାଭାବିକରୁ କମ୍ ବର୍ଷା କୁହାଯାଏ । ଏଲ୍ପିଏ ୯୬%-୧୦୪% ହେଲେ, ତାହାକୁ ସ୍ୱାଭାବିକ ବୃଷ୍ଟିପାତ କୁହାଯିବ । ଯଦି ସ୍ୱାଭାବିକ ବୃଷ୍ଟିପାତ ହୁଏ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ସ୍ୱାଭାବିକ ହେବ, ଅର୍ଥାତ୍ ଏ ବର୍ଷ ମହଙ୍ଗାରୁ ଆଶ୍ୱସ୍ତି ମିଳିବ । କେରଳ, ଲକ୍ଷାଦ୍ୱୀପ ଓ କର୍ଣ୍ଣାଟକରେ ମୌସୁମୀ ପ୍ରବାହ ଆରମ୍ଭ ସମ୍ବନ୍ଧୀୟ ସୂଚନା ଦେଉଥିବା ୮ ଷ୍ଟେସନରେ କ୍ରମାଗତ ଦୁଇଦିନ ଅତି କମ୍ରେ ୨.୫ ମିମି ବର୍ଷ ହେଲେ ଆଇଏମ୍ଡି ପକ୍ଷରୁ ମୌସୁମୀ ଆସିଗଲା ବୋଲି ଘୋଷଣା କରାଯାଇଥାଏ । ଭାରତରେ ବର୍ଷକ ଭିତରେ ଯେତେ ବୃଷ୍ଟିପାତ ହୁଏ ତା’ର ୭୦ ପ୍ରତିଶତ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଯୋଗୁଁ ହୋଇଥାଏ । ଦେଶର ୭୦ରୁ ୮୦ ପ୍ରତିଶତ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି ।
୧୮ ବର୍ଷ ହେଲା ଆଇଏମ୍ଡି ମୌସୁମୀ ଆଗମନ ସମ୍ପର୍କରେ ସଠିକ୍ ଆକଳନ କରି ଆସୁଛି । ଆଇଏମ୍ଡି ବୁଲେଟିନ୍ରେ କୁହାଯାଇଛି, ୨୦୧୫କୁ ଛାଡ଼ିଦେଲେ ଗତ ୧୮ ବର୍ଷ ଧରି କେରଳକୁ ମୌସୁମୀ ପ୍ରବେଶ ସମ୍ବନ୍ଧୀୟ ଆକଳନ ନିର୍ଭୁଲ ପ୍ରମାଣିତ ହୋଇଆସିଛି । ପୂର୍ବରୁ ଆସିଥିବା ରିପୋର୍ଟ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ରେ ଆଣ୍ଡାମାନ
ଛୁଇଁବ ଏବଂ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଆବୃତ୍ତ କରି ରଖିବ । ମାଡାଗାସ୍କର ନିକଟରେ ମାସ୍କ୍ରେନାସ୍ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ମୌସୁମୀ ଆସିବା ସମୟରେ ଲଘୁଚାପ କ୍ଷେତ ସୃଷ୍ଟି ହେଲେ ତାହା ମୌସୁମୀ ବାୟୁକୁ ଆକର୍ଷଣ କରିବାରେ ସହାୟକ ହୋଇଥାଏ ।