ପଞ୍ଚମ ପର୍ଯ୍ୟାୟରେ ରାଜ୍ୟରେ ୪୭୩ ନିଯୁକ୍ତି
ମୋଦି ସରକାରଙ୍କ ରୋଜଗାର ମେଳା
ଭୁବନେଶ୍ୱର,୧୬ା୫(ବୁ୍ୟରୋ): ସଂପ୍ରତି ପରିବର୍ତ୍ତିତ ଦୁନିଆ ଏବଂ ଟେକ୍ଲୋଲଜି ଯୁଗରେ ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ସ୍କିଲିଂ କରାଇବା ଜରୁରୀ । ବିଶେଷ ଭାବରେ ମଙ୍ଗଳବାର ନିଯୁକ୍ତି ପାଇଥିବା ଯୁବବନ୍ଧୁମାନେ ଏହି ମନ୍ତ୍ରକୁ ନିରନ୍ତର ଜପ କରନ୍ତୁ ଏବଂ ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ମଙ୍ଗଳବାର ଭୁବନେଶ୍ୱରଠାରେ “ରୋଜଗାର ମେଳା’ର ପଞ୍ଚମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ରାଜ୍ୟର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ସ୍ୱ ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା । ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଇସ୍ପାତ୍ ବିଭାଗ, ଜିଏସ୍ଆଇ ସମେତ ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଆଜି ଦାୟିତ୍ୱବୋଧର ନୂଆ ଅଧ୍ୟାୟକୁ ଯାଉଛନ୍ତି । ତେବେ ଦାୟିତ୍ୱ ଏତିକିରେ ସୀମିତ ନୁହେଁ । ଆମ ଦେଶ ଆଉ ପ୍ରାୟ ୨୫ ବର୍ଷ ପରେ ୨୦୪୭ରେ ସ୍ୱତନ୍ତ୍ରତାର ୧୦୦ ବର୍ଷ ପୂରଣ ହେବ ଏବଂ ପ୍ରାୟ ୧୩ ବର୍ଷ ପରେ ୨୦୩୬ରେ ଓଡ଼ିଶା ଭାଷାଭତ୍ତିିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ । ଏହି କାଳଖଣ୍ଡରେ ଆମେ ବଡ ଦାୟିତ୍ୱରେ ଥିବା ସମୟରେ କେବଳ ନିଜ କଥା ଭାବିବା ନାହିଁ ବରଂ ସମସ୍ତଙ୍କ କଥା ଚିନ୍ତା କରିବା । ସ୍ୱୟଂ ପାଇଁ ନୁହେଁ ସମୂହଙ୍କ ପାଇଁ ଚିନ୍ତା କରିବା ଦରକାର । ଅମୃତ କାଳରେ ଏହି ଯୁବବର୍ଗଙ୍କ ନେତୃତ୍ୱରେ ଦେଶ ଓ ରାଜ୍ୟ ଆଗକୁ ଯିବ । ନିରନ୍ତର ଭାବରେ ଭାରତ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ରି-ସ୍କିଲିଂ-ଅପ ସ୍କିଲିଂ ବ୍ୟବସ୍ଥାରେ ଯୋଡି ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବନିଯୁକ୍ତ ଯୁବବର୍ଗମାନେ ନିଜର ସ୍ୱପ୍ନ ସହ ସମାଜ ଓ ଜାତିର ଆକାଂକ୍ଷାକୁ ପୂରଣ କରନ୍ତୁ । ସାମ୍ପ୍ରତିକ ସମୟରେ ବଣମଲ୍ଲି ବଣରେ ରହିଯାଉଛି । ହଜାର ହଜାର ବର୍ଷ ପୂର୍ବରୁ ବଳରାମ ଦାସ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଶ୍ରୀୟା ଚଣ୍ଡାଳୁଣୀର କଥା ଚରିତ୍ରକୁ ବର୍ଣ୍ଣନା କରି ସ୍ୱଚ୍ଛ ଭାରତର କଳ୍ପନା କରିଥିଲେ । ଓଡ଼ିଶା ମାଟିର ବରପୁତ୍ର ଉକ୍ରଳମଣି ଗୋପବନ୍ଧୁ ଦାସ, ଉକ୍ରଳ ଗୌରବ ମଧୁସୂଦନ ଦାସ ଏକ ସାଧାରଣ ପରିବେଶରୁ ଆସି ବଡ ଭାବିବା ସହ ବିଶ୍ୱକୁ ପ୍ରଭାବିତ କରିଥିଲେ । ତେଣୁ ଆମ ସମସ୍ତଙ୍କୁ ମଧ୍ୟ ନୂଆ ଭାବିବା ପାଇଁ ପଡିବ, ବଡ ଭାବିବା ଓ ବଡ଼ ସ୍ୱପ୍ନ ଦେଖିବା ଦରକାର । ମଙ୍ଗଳବାର ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ୭ଠ ହଜାରରୁ ଅଧିକ ଯୁବକ ଯୁବତୀମାନେ ବିଭିନ୍ନ ବିଭାଗରେ କାମ କରିବା ପାଇଁ ରୋଜଗାରର ସ୍ୱୀକୃତି ପତ୍ର ପାଇଛନ୍ତି ।