ମୁମ୍ବାଇକୁ ୧୭୮ ବିଜୟ ଲକ୍ଷ୍ୟ
ଆଇପିଏଲ୍-୧୬
ଲକ୍ଷ୍ନୌ, ୧୬ା୫ (ଏଜେନ୍ସି): ମାର୍କସ୍ ଷ୍ଟୋଇନିସ୍ଙ୍କ ଧୂଆଁଦାର ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ମଙ୍ଗଳବାର ଚଳିତ ଆଇପିଏଲ୍ର ୬୩ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୭୮ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ମୁମ୍ବାଇ ଟିମ୍ ୧୨ ଓଭର୍ରେ ୨ ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ଯାଦବ ୪ ଓ ନେହାଲ୍ ୱାଧେରା ୨ ରନ୍ କରି ଅପରାଜିତ ଥିଲେ ।
୧୭୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଟିମ୍ ପକ୍ଷରୁ ଈଶାନ କିଶନ ଓ ଅଧିନାୟକ ରୋହିତ ଶର୍ମା ଦମ୍ଦାର ବ୍ୟାଟିଂ କରି ୫୮ ବଲ୍ରୁ ୯୦ ରନ୍ର ଭାଗୀଦାରୀ କରିଥିଲେ । ରୋହିତ ୨୫ ବଲ୍ରୁ ୩୭ ରନ୍ କରି ରବି ବିଷ୍ଣୋଇଙ୍କ ବଲ୍ରେ ଆଉଟ୍ ହୋଇଥିଲେ । କିଶନ ୩୯ ବଲ୍ରୁ ୫୯ ରନ୍ କରି ବିଷ୍ଣୋଇଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଲକ୍ଷ୍ନୌ ଟିମ୍କୁ ନବୀନ ଓ ଦୀପକ ହୁଡ଼ା ପ୍ରତ୍ୟାବର୍ତ୍ତନ କରିଥିଲେ । ଲକ୍ଷ୍ନୌ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୩ ୱିକେଟ୍ ହରାଇ ୧୭୭ ରନ୍ ସଂଗ୍ରହ କରିଥିଲା ।
ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୨ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ଓପନର୍ ଦୀପକ ହୁଡ଼ା ୫ ରନ୍ ଓ ପ୍ରେରକ ମଙ୍କଡ଼ ଖାତା ଖୋଲି ନ ପାରି ଜାସନ୍ ବେହରେନ୍ଡର୍ଫଙ୍କ କ୍ରମାଗତ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅନ୍ୟତମ ଓପନର୍ କୁଇଣ୍ଟନ୍ ଡି’ କକ୍ ୧୬ ରନ୍ କରି ପୀୟୂଷ ଚାୱଲାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
୩୫ ରନ୍ ମଧ୍ୟରେ ୩ ୱିକେଟ୍ ପଡ଼ିବା ପରେ ଅଧିନାୟକ କୃଣାଲ ପାଣ୍ଡ୍ୟା ଓ ମାର୍କସ୍ ଷ୍ଟୋଇନିସ୍ ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ୮୨ ରନ୍ର ଭାଗୀଦାରୀ କରି ଇନିଂସ୍କୁ ୧୧୭ ରନ୍ରେ ପହଞ୍ଚାଇଥିଲେ । ସେତିକିବେଳେ କୃଣାଲ ବ୍ୟକ୍ତିଗତ ୪୯ (୪୨ ବଲ୍ରୁ) ରନ୍ରେ ଆହତ ହୋଇ ପାଭିଲିଅନ୍ ଫେରିଥିଲେ ।
ଅନ୍ୟପଟେ୍ ଷ୍ଟୋଇନିସ୍ ଦୃଢ଼ ପ୍ରଦର୍ଶନ ଅବ୍ୟାହତ ରଖିଥିଲେ । ବିଶେଷକରି ତାଙ୍କ ପ୍ରୟାସ ଯୋଗୁଁ ଇନିଂସ୍ ଏକ ଆହ୍ୱାନପୂର୍ଣ୍ଣ ସ୍ଥିତିରେ ପହଞ୍ଚିପାରିଥିଲା । ସେ ନିକୋଲାସ୍ ପୂରନ୍ଙ୍କ ସହ ୬୦ ରନ୍ ଯୋଗ କରିଥିଲେ । ଷ୍ଟୋଇନିସ୍ ୪୭ ବଲ୍ରୁ ୮୯ (୪ ଚୌକା ଓ ୮ ଛକା ସହାୟତାରେ) ୮୯ ଓ ପୂରନ୍ ୮ ରନ୍ କରି ଅପରାଜିତ ଥିଲେ ।
ପ୍ଲେଅଫ୍ରେ ଗୁଜରାଟ
ଅହମଦାବାଦ, ୧୬ା୫ (ଏଜେନ୍ସି): ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍ ସିଜନ୍ରେ ପ୍ରଥମ ଟିମ୍ ଭାବେ ପ୍ଲେଅଫ୍ ପାଇଁ ଯୋଗ୍ୟତା ହାସଲ କରିଛି । ସୋମବାର ଓପନର୍ ଶୁଭମନ ଗିଲ୍ଙ୍କ ଶତକ ସହାୟତାରେ ଗୁଜରାଟ ସିଜନ୍ର ୬୨ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୩୪ ରନ୍ରେ ପରାସ୍ତ କରିଛି । ଟିମ୍ ଏ ଯାବତ୍ ୧୩ ମ୍ୟାଚ୍ ଖେଳି ୧୮ ପଏଣ୍ଟ ପାଇଛି ।
୧୮୯ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୫୪ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ହିନରିଚ୍ କ୍ଲାସେନ୍ ସର୍ବାଧିକ ୬୪ (୪୪ ବଲ୍ରୁ) ରନ୍ କରିଥିଲା । ବିପକ୍ଷ ବୋଲର୍ ମହମ୍ମଦ ଶମୀ ଓ ମୋହିତ ଶର୍ମା ୪ ଲେଖାଏଁ ଏବଂ ଯଶ ଦୟାଲ୍ ଗୋଟିଏ ୱିକେଟ୍ ନେଇଥିଲେ ।