୧୮ରେ ମାଟ୍ରିକ୍ ଫଳ
କଟକ, ୧୬ା୫ (ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ୧୮ ତାରିଖ ସକାଳ ୧୦ଟା ବେଳେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।
ଦିନ ୧୨ଟା ସୁଦ୍ଧା ସମସ୍ତେ ମାଟ୍ରିକ ପରୀକ୍ଷା ଫଳ ଜାଣିପାରିବେ । ଛାତ୍ରଛାତ୍ରୀମାନେ ମୋବାଇଲ ଫୋନରେ ଏସ୍ଏମ୍ଏସ୍(ଓଆର୧୦ ଏବଂ ନିଜର ରୋଲ ନମ୍ବର ଟାଇପ୍ କରି ୫୬୭୬୭୫୦) ପଠାଇ ମଧ୍ୟ ସେମାନଙ୍କର ପରୀକ୍ଷା ଫଳ ଜାଣିପାରିବେ । ସେହିଭଳି ବୋର୍ଡ ୱେବସାଇଟରେ ନିଜ ରୋଲ ନମ୍ବର ମାରି ରେଜଲ୍ଟ ପାଇପାରିବେ ବୋଲି ବୋର୍ଡ ଉପସଭାପତି ଡ. ନିହାର ରଂଜନ ମହାନ୍ତି କହିଛନ୍ତି । ଚଳିତବର୍ଷ ୫ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଏଥର ପରୀକ୍ଷା ଫଳକୁ ତ୍ରୁଟିଶୂନ୍ୟ କରିବା ଲାଗି ପ୍ରୟାସ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପାଇଁ ମୋଟ ୫ ଲକ୍ଷ ୪୧ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲା ବେଳେ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଏପ୍ରିଲ ୩ରୁ ଖାତା ଦେଖା ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।