ଦୁବାଇକୁ ଉଡିଲା ବିମାନ

ଭୁବନେଶ୍ୱର,୧୫ା୫(ବୁ୍ୟରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ସୋମବାର ଠାରୁ ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହୋଇଛି ସିଧାସଳଖ ବିମାନ ସେବା । ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନରେ ୧୭୦ ଜଣ ଯାତ୍ରୀ ଇଣ୍ଡିଗୋ ବିମାନ ଯୋଗେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ୱପୂର୍ଣ୍ଣ । ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ । ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ମୁଖଶାଳା ଏବଂ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ।
ଆନ୍ତର୍ଜାତିକ ସଂଯୋଗୀକରଣ ଦିଗରେ ଆଜି ଓଡ଼ିଶା ନୂଆ ଅଧ୍ୟାୟ ଲେଖିଛି । ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟ୍ରେ ଅନ୍ୟାନ୍ୟ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ ଓ କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି । ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ୧୭୦ ଜଣ ଭୁବନେଶ୍ୱରରୁ ଦୁବାଇ ଯାଇଛନ୍ତି । ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସେହିପରି ଦୁବାଇରୁ ଭୁବନେଶ୍ୱର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିଥିଲେ । ୫-ଟି ସଚିବ ଭି. କେ.ପାଣ୍ଡିଆନଙ୍କ ଉପସ୍ଥିତିରେ ଶୁଭେଚ୍ଛା କେକ୍ କଟାଯାଇଥିଲା । ସୂଚନାଯୋଗ୍ୟ, ଓଡିଶା ଓ ଦୁବାଇ ମଧ୍ୟରେ ଆର୍ନ୍ତଜାତୀୟ ବିମାନ ଚଳାଚଳ ସମ୍ପର୍କରେ ଦୁବାଇରେ ଆୟୋଜିତ ଓଡିଶା ନିବେଶକ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୃତି ଦେଇଥିଲେ । ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନ ସେବା ସପ୍ତାହରେ ତିନି ଥର ଚାଲିବ । ଏହା ବ୍ୟତୀତ ସିଙ୍ଗାପୁର ଓ ବ୍ୟାଙ୍କକକ୍ ମାଧ୍ୟମରେ ଦକ୍ଷିଣ ପୂର୍ବ ଏସିଆ ସଂଯୋଗୀକରଣ ଦିଗରେ ରାଜ୍ୟ ସରକାର ମିଶନ ମୋଡ୍ରେ କାର୍ଯ୍ୟକରୁଛନ୍ତି । ଆସନ୍ତା ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଏହି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *