ରାଜ୍ୟସାରା ଅଗ୍ନିବର୍ଷା

ଭୁବନେଶ୍ୱର,୧୫ା୫(ବୁ୍ୟରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବିଶେଷ କରି ପଶ୍ଚିମ ଓଡିଶାରେ ତାପମାତ୍ରା ଅସ୍ୱାଭାବିକ୍ ଭାବେ ବୃଦ୍ଧି ପାଇଛି । ସୋମବାର ବଲାଙ୍ଗିର ସହରରେ ସର୍ବୋଚ୍ଚ ତାପମାତ୍ରା ୪୪.୪ ଡିଗ୍ରୀ ଛୁଇଁଥିବା ବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ସେହିପରି ପାରଦ ୪୪ ଡିଗ୍ରୀ ଛୁଇଁବା ପରେ ଟିଟିଲାଗଡ ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବା ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ଏହିଭଳି ସ୍ଥିତି ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ୮ଟି ଜିଲ୍ଲା ଏବଂ ବୁଧବାର ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେବ । ମଙ୍ଗଳବାର ଠାରୁ କିଛି ଜିଲ୍ଲାରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଏବଂ କିଛି ଜିଲ୍ଲାରେ ୭ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସୋମବାର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଏବଂ ସୋନପୁରକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ମଙ୍ଗଳବାର ପାଇଁ ୮ଟି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଅତିକ୍ରମ କରିପାରେ । ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ, ଅରେଞ୍ଜ ଏବଂ ରେଡ୍ ମାର୍କ ଜାରି କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍‌ ଆୱାର ଘୋଷଣା କରାଯାଇଛି । ଏହି ସମୟରେ ବୟସ୍କ ଏବଂ ଶିଶୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍ସି । ଦୈନିକ ରିପୋର୍ଟ ଦେବାକୁ ମଧ୍ୟ ସମସ୍ତ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ସଜାଗ୍ ରଖାଯାଇଛି । ସମସ୍ତ ପିଏଚ୍ସି ଓ ସିଏଚ୍ସି ଗୁଡ଼ିକରେ ଏସି ରୁମ ବ୍ୟବସ୍ଥା ସହ ଅତ୍ୟାବଶ୍ୟକ ଔଷଧ ଓ ଓଆରଏସ ମହଜୁଦ ରଖିବାକୁ ସମସ୍ତୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *