ସିଦ୍ଦୁ ହେବେ ମୁଖ୍ୟମନ୍ତ୍ରୀ

ଡିକେ ସମେତ
୩ ଡେପୁଟି
ବେଙ୍ଗଲୁରୁ/ନୂଆଦିଲ୍ଲୀ, ୧୫ା୫: କର୍ଣ୍ଣାଟକରେ ସରକାର ଗଠନ ଫର୍ମୁଲା ପ୍ରାୟତଃ ସ୍ଥିର ହୋଇସାରିଛି । କୁରୁବା ସମ୍ପ୍ରଦାୟର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓରଫ ସିଦ୍ଦୁଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ସ୍ଥିର କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ସିଦ୍ଦୁଙ୍କ ଅଧୀନରେ ରହିବେ ୩ ଜଣ ଉପମୁଖ୍ୟମନ୍ତ୍ରୀ ଯେଉଁମାନେ କି ତିନିଟି ଭିନ୍ନ ଭିନ୍ନ ସମ୍ପ୍ରଦାୟର । ସେମାନେ ହେଲେ- ଓକ୍କାଲିଗା ସମ୍ପ୍ରଦାୟର ଡିକେ ଶିବକୁମାର, ଲିଙ୍ଗାୟତ ସମ୍ପ୍ରଦାୟତର ଏମ୍ବି ପାଟିଲ ଓ ନାୟକ/ବାଲ୍ମିକ ସମ୍ପ୍ରଦାୟର ସତୀଶ ଜାରକିହୋଲି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି ।
ମୁଖ୍ୟମନ୍ତ୍ରୀ ଚୟନ ଲାଗି ଦଳ ପକ୍ଷରୁ ବେଙ୍ଗଲୁରୁ ଯାଇଥିବା ୩ ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଦେଇଛନ୍ତି । ସୂତ୍ର ଅନୁଯାୟୀ, ସୋମବାର ରାତି ସୁଦ୍ଧା ନୂଆଦିଲ୍ଲୀରେ ନିଷ୍ପତ୍ତି ହୋଇଯିବ । ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ଲୋକେ ଚାହାନ୍ତି, କିନ୍ତୁ ଅଧିକାଂଶ ବିଧାୟକ (ପ୍ରାୟ ୯୦ ଜଣ) ସିଦ୍ଧରମେୟାଙ୍କୁ ସମର୍ଥନ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନାମ ଚୂଡାନ୍ତ କରାଯିବା ପୂର୍ବରୁ ବେଙ୍ଗଲୁରୁରେ ଆଉଥରେ ବିଧାୟକ ଦଳ ବୈଠକ ଡକାଯିବ ଏବଂ ବୈଠକ ଶେଷ ହେବା ପରେ ପରେ ସେଇଠି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।
କଂଗ୍ରେସ ହାଇକମାଣ୍ଡ ସୋମବାର ନୂଆଦିଲ୍ଲୀରେ ପହଞ୍ଚôବା ପାଇଁ ସିଦ୍ଧରମେୟା ଓ ଡିକେଙ୍କୁ ଡାକିଥିଲେ । ସିଦ୍ଧରମେୟା ଗଲେ କିନ୍ତୁ ଡିକେ ପେଟ ଖରାପ ଅଛି କହି ଗଲେନାହିଁ । ତେବେ ମଙ୍ଗଳବାର ସେ ନୂଆଦିଲ୍ଲୀ ଯାଇପାରନ୍ତି ବୋଲି ସୂଚାଇଛନ୍ତି ।
ହାଇକମାଣ୍ଡ ବିକଳ୍ପ ସ୍ୱରୂପ ଡିକେ ଶିବକୁମାରଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରୂପେ ରଖିବା କଥା ଚିନ୍ତା କରୁଛନ୍ତି ।
ଯଦିଓ ନବ ନିର୍ବାଚିତ ବିଧାୟକମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି, କିନ୍ତୁ ଲାଗୁଛି ସବୁକିଛି ଖଡ଼ଗେଙ୍କ ହାତରେ ନାହିଁ । ରାହୁଲ ଗାନ୍ଧୀ କହିଛନ୍ତି, ବିଧାୟକମାନେ ଯାହାଙ୍କୁ ଚୟନ କରିବେ, ସେ ହିଁ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ । କର୍ଣ୍ଣାଟକରୁ ଫେରିଥିବା ପର୍ଯ୍ୟବେକ୍ଷକ ଓ ନିର୍ବାଚନ ପ୍ରଭାରୀ ରଣଦୀପ ସୁରେଜୱାଲା ରାହୁଲ ସୋମବାର ଆଲୋଚନା କରିବା ପରେ ଏହି ନିର୍ଣ୍ଣୟ ନେଇଛନ୍ତି । ଏବେ ସିଦ୍ଧରମେୟାଙ୍କ ସାଥୀରେ ୯୦ ଜଣ ବିଧାୟକ ଅଛନ୍ତି । ଶିବକୁମାର ସୋମବାର ଏକାଧିକ ବିବୃତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ହେବା ଜିଦ୍ରେ ଅଟଳ ଥିବା ସୂଚାଇ ଥିଲେ । ତେଣୁ ଦଳର ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଗରେ ଏହା ଏକ ବଡ ସମସ୍ୟା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *