ହାଇଦରାବାଦକୁ ୧୮୯ ରନ୍ ବିଜୟ ଲକ୍ଷ୍ୟ
ଅହମଦାବାଦ, ୧୫ା୫ (ଏଜେନ୍ସି): ଓପନର୍ ଶୁଭମନ ଗିଲ୍ଙ୍କ ଶତକ ସହାୟତାରେ ଗୁଜରାଟ ଟାଇଟନ୍ସ ସୋମବାର ଚଳିତ ଆଇପିଏଲ୍ର ୬୨ତମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୧୮୯ ରନ୍ର ବିଜୟ ଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ହାଇଦରାବାଦ ଟିମ୍ ୭ ଓଭର୍ରେ ୭ ୱିକେଟ୍ ହରାଇ ୫୯ ରନ୍ ସଂଗ୍ରହ କରିଥିଲା । ହିନ୍ରିଚ୍ ୨୩ ରନ୍ କରି ଅପରାଜିତ ଥିଲେ ।
୧୮୯ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ହାଇଦରାବାଦ ଟିମ୍ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୪୫ ରନ୍ ମଧ୍ୟରେ ଅଧା ଖେଳାଳିଙ୍କୁ ହରାଇଥିଲା । ଅନମୋଲପ୍ରୀତ ସିଂହ (୫) ଓ ଅଭିଷେକ ଶର୍ମା (୫) ଯଥାକ୍ରମେ ମହମ୍ମଦ ଶାମୀ ଓ ଯଶ ଦୟାଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ରାହୁଲ ତ୍ରିପାଠୀ (୧) ଓ ଅଧିନାୟକ ଏଡେନ୍ ମାର୍କରାମ (୧୦)ଙ୍କୁ ପାଭିଲିଅନ୍ ପଠାଇ ଟିମ୍ର ସଙ୍କଟ ବଢ଼ାଇ ଦେଇଥିଲେ ଶାମୀ । ସନଭୀର ସିଂହ (୭) ଓ ଅବଦୁଲ ସମାଦ (୪) ମୋହିତ ଶର୍ମାଙ୍କ ଶିକାର ହୋଇଥିଲେ । ମାର୍କୋ ଜାନ୍ସେନ୍ (୩)ଙ୍କ ୱିକେଟ୍ ମଧ୍ୟ ମୋହିତଙ୍କ ଖାତାକୁ ଯାଇଥିଲା । ହାଇଦରାବାଦ ଟିମ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲା । ଓପନର୍ ରିଦ୍ଧିମାନ ସାହା ଖାତା ଖୋଲି ନ ପାରି ପାଭିଲିଅନ୍ ଫେରୁଥିଲେ । ଏହାପରେ ଅନ୍ୟତମ ଓପନର୍ ଗିଲ୍ ନୂଆ ବ୍ୟାଟର୍ ସାଇ ସୁଦର୍ଶନଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୭୬ ବଲ୍ରୁ ୧୪୭ ରନ୍ର ଭାଗୀଦାରୀ କରିଥିଲେ ।
ସୁଦର୍ଶନ ବ୍ୟକ୍ତିଗତ ୪୭ ରନ୍ରେ ମାର୍କୋ ଜାନ୍ସେନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ୱିକେଟ୍ ପତନ ଜାରି ରହିଥିଲା । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୮, ଡେଭିଡ୍ ମିଲର୍ ୭, ରାହୁଲ ତେୱାଟିଆ ୩ ରନ୍ କରି ପାଭିଲିଅନ୍ ଫେରିଥିଲେ ।
ଗିଲ୍ ୫୮ ବଲ୍ରୁ ୧୩ ଚୌକା ଓ ୧ ଛକା ସହାୟତାରେ ୧୦୧ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରିଥିଲେ । ଆଇପିଏଲ୍ରେ ଏହା ତାଙ୍କର ପ୍ରଥମ ଶତକ ଥିଲା । ଏହି ସିଜନ୍ରେ ଶତକ ଲଗାଇବାରେ ସେ ଷଷ୍ଠ ବ୍ୟାଟର୍ । ଅନ୍ୟମାନଙ୍କ ମଧ୍ୟରେ ରଶିଦ ଖାନ୍, ନୂର୍ ଅହମଦ ଓ ଶାମୀ ବିନା ସ୍କୋର୍ରେ ପାଭିଲିଅନ୍ ଫେରିଥିଲେ । ଦାସୁନ ଶନକା ୯ ଓ ମୋହିତ କୌଣସି ରନ୍ ନ କରି ଅପରାଜିତ ଥିଲେ ।
ବିପକ୍ଷ ବୋଲର୍ ଭୁବନେଶ୍ୱର ୩୦ ରନ୍ରେ ସର୍ବାଧିକ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ଜାନ୍ସେନ୍, ଫଜଲ୍ହକ୍ ଫାରୁକୀ ଓ ଟି. ନଟରାଜନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।