ବଢ଼ୁଛି ଡାଲି, ତେଲ, ଫଳ ଆମଦାନି
ଭୁବନେଶ୍ୱର,୧୪ା୫(ତଥ୍ୟ): କୃଷି ପ୍ରଧାନ ଦେଶ ଭାରତରେ ବର୍ଷକୁ ବର୍ଷ ଖାଇବା ତେଲ ଓ ଡାଲି ଆମଦାନୀ ବଢିବାରେ ଲାଗିଛି । ତେବେ କରୋନା ମହାମାରୀ ସମୟରେ କେତେକ ସାମଗ୍ରୀର ଆମଦାନୀ ସାମାନ୍ୟ ହ୍ରାସ ପାଇଥିଲେ ବି ଏହାପରେ ପୁଣି ଆମଦାନୀ ବଢିଥିବା କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ବିଭାଗର ଏକ ସୂଚନାରୁ ଜଣାପଡିଛି ।
ଏହି ସୂଚନା ଅନୁଯାୟୀ ଭାରତ ସରକାର ୨୦୧୯-୨୦ ବର୍ଷରେ ୧୪୪୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଡାଲି ଆମଦାନୀ କରିଥିବାବେଳେ ଏହା ପରବର୍ଷ ଆମଦାନୀ ହୋଇଥିବା ଡାଲିର ମୂଲ୍ୟ ୧୬୧୨ ନିୟୁତ ଆମେରିକୀୟ ଡଲାର ରହିଥିଲା । ୨୦୨୧-୨୨ ବର୍ଷରେ ଏହି ପରିମାଣ ୨୨୨୯ ନିୟୁତ ଡଲାରକୁ ବୃଦ୍ଧି ପାଇଥିଲା । ସେହିଭଳି ଖାଇବା ତେଲର ଆମଦାନୀ ପରିମାଣ ବି ହୁ ହୁ ହୋଇ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ଭାରତ ସରକାର ୯୬୭୩ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଥିବାବେଳେ ୨୦୨୧-୨୨ ବର୍ଷରେ ତାହା ବୃଦ୍ଧି ପାଇ ୧୮,୯୯୨ ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଛି ।
ଡାଲି ତେଲ ଭଳି ବିଦେଶୀ ଆମଦାନି ହେଉଥିବା ଫଳ ଓ ପନିପରିବା ଆମଦାନି ବି ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ବିଦେଶରୁ ୨୨୨୧ ନିୟୁତ ଡଲାର ମୂଲ୍ୟର ଏହି ଜାତୀୟ ସାମଗ୍ରୀ ଆମଦାନି ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ୨୨୭୩ ଏବଂ ୨୦୨୧-୨୨ ବର୍ଷରେ ୨୬୪୧ ନିୟୁତ ଡଲାର ମୂଲ୍ୟର ଆମଦାନୀ ହୋଇଥିବା ଜଣାଯାଇଛି ।
କେବଳ ଖାଇବା ତେଲ, ଡାଲି କିମ୍ବା ଫଳ ଓ ପନିପରିବା ନୁହେଁ ବିଦେଶରୁ ସୁନା, ରୂପା ସମେତ, କାଠ ଏବଂ କାଠତିଆରି ସାମଗ୍ରୀ ଏବଂ ଲୁହା ଓ ଇସ୍ପାତ ଆଦିର ଆମଦାନୀ ବି ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ବିଦେଶରୁ ଭାରତକୁ ୨୮,୨୩୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ସୁନା ଆମଦାନୀ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୩୪,୬୦୪ ଏବଂ ୨୦୨୧-୨୨ ବର୍ଷରେ ୪୬,୧୬୬ ନିୟୁତ ଡଲାରରେ ପହଞ୍ଚିଥିଲା । ତେବେ ରୂପା ଆମଦାନୀ କରୋନା ପ୍ରଭାବରେ ଗୋଟିଏ ବର୍ଷ କିଛିଟା କମ୍ ରହିଥିଲା । ୨୦୧୯-୨୦ ବର୍ଷରେ ବିଦେଶରୁ ଭାରତକୁ ୨୭୨୮ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ରୂପା ଆମଦାନୀ ହୋଇଥିବାବେଳେ ଏହା ପରବର୍ଷ ୨୦୨୦-୨୧ ବର୍ଷରେ ଏଡା ୭୯୦ ନିୟୁତ ଡଲାରକୁ ହ୍ରାସ ପାଇଥିଲା । ତେବେ କରୋନା ମହାମାରୀ କମିବା ପରେ ୨୦୨୧-୨୨ ବର୍ଷରେ ରୂପା ଆମଦାନୀ ପରିମାଣ ୩୨୭୬ ଡଲାରକୁ ବୃଦ୍ଧି ପାଇଥିଲା ।
ସେହଭଳି ବିଦେଶରୁ ୨୦୧୯-୨୦ ବର୍ଷରେ ୫୦୨୪ ନିୟୁତ ଡଲାର ମୂଲ୍ୟର କାଠ ଓ କାଠଜାତ ସାମଗ୍ରୀ ଆମଦାନୀ ହୋଇଥିବାବେଳେ ଏହା ପରବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ଏହା ୪୪୫୦ ନିୟୁତ ଡଲାରକୁ ହ୍ରାସ ପାଇଥିଲା । ତେବେ ୨୦୨୧-୨୨ ବର୍ଷରେ ଏହି ସାମଗ୍ରୀର ଆମଦାନୀ ମୂଲ୍ୟ ୬୧୩୬ ନିୟୁତ ଡଲାଣରେ ପହଞ୍ଚିଥିଲା । କାଠ ଭଳି ଲୁହା ଓ ଇସ୍ପାତ ଆମଦାନୀ ବି ବଢିବାରେ ଲାଗିଛି । ଏହି ତିନିବର୍ଷରେ ବିଦେଶରୁ ଭାରତକୁ ଯଥାକ୍ରମେ ୧୫,୩୬୯, ୧୨,୦୩୬ ଓ ୧୭,୩୦୩ ନିୟୁତ ଡଲାଣ ମୂଲ୍ୟର ଲୁହା ଓ ଇସ୍ପାତ ଆମଦାନୀ ହୋଇଛି ।
ତେବେ ଗତ ବିଦେଶରୁ ଖବରକାଗଜ ଛପାଇବାପାଇଁ ଆବଶ୍ୟକ କାଗଜ ଆମଦାନୀ ହ୍ରାସ ପାଇଛି । ୨୦୧୯-୨୦ବର୍ଷରେ ୭୦୧ ନିୟୁତ ଡଲାରର ଏହି କାଗଜ ଆମଦାନୀ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୩୪୫ ନିୟୁତ ଡଲାରକୁ ହ୍ରାସ ପାଇଛି ।