ଇନ୍ଷ୍ଟାଗ୍ରାମ ପୋଷ୍ଟ ନେଇ ଅକୋଲାରେ ଦଙ୍ଗା
୧୪୪ ଧାରା ଜାରି
ଜଣେ ମୃତ, ୮ ଆହତ
୧ ହଜାର ପୁଲିସ ମୁତୟନ
ଅକୋଲା(ଏଜେନ୍ସି): ମହାରାଷ୍ଟ୍ରର ଅକୋଲାରେ ବିବାଦୀୟ ଇନଷ୍ଟାଗ୍ରାମ ପୋଷ୍ଟକୁ କେନ୍ଦ୍ରକରି ଦୁଇ ସଂପ୍ରଦାୟ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟି ଜଣେ ପ୍ରାଣ ହରାଇବା ସହିତ ଆଠଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ପୁଲିସ ଅନ୍ତର୍ଭୁକ୍ତ । ପୁଲିସ ଉଭୟ ସଂପ୍ରଦାୟର ୩୦ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅକୋଲାରେ ୧୪୪ ଧାରା ଜାରି କରାଯାଇଛି । ଏସ୍ପି ସନ୍ଦିପ ଘୁଗେ କହିଛନ୍ତି, ଇନ୍ଷ୍ଟାଗ୍ରାମ୍ରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଜଣେ ମୁଖ୍ୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରାଯାଇଥିଲା । ଏହାକୁ କେନ୍ଦ୍ରକରି ଶନିବାର ରାତି ପ୍ରାୟ ୧୧.୩୦ରେ ସମ୍ବେଦନଶୀଳ ଓଲ୍ଡ ସିଟି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋଟିଏ ସଂପ୍ରଦାୟର କିଛି ଲୋକ ଥାନାରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ଘଉଡାଇବା ଲାଗି ପୁଲିସ ଲାଠି ଚାର୍ଯ କରିଥିଲା । ହଠାତ ଅନ୍ୟସଂପ୍ରଦାୟର ଆଉ ଏକ ଗୋଷ୍ଠୀ ପହଞ୍ଚିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଉଭୟ ପକ୍ଷ ପରସ୍ପରକୁ ପଥର ମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସଂଘର୍ଷ ଭୟଙ୍କର ରୂପ ନେଉଥିବାରୁ ପୁଲିସ୍ ଲୁହବୁହା ଗ୍ୟାସ ମାଡ଼ କରିଥିଲା । ତେବେ ପଥରମାଡ଼ ଓ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଥିଲେ । ସଂଘର୍ଷ ପରେ ପୁଲିସ୍ ବାଧ୍ୟ ହୋଇ ଅକୋଲାର ୪ ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛି । ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ପ୍ରାୟ ଏକ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଏଏସ୍ପି ମୋନିକା ରାଉତ କହିଛନ୍ତି । ଅମରାବତୀରୁ ଅଧିକ ପୁଲିସଙ୍କୁ ଅଣାଯାଇଛି । ଅକୋଲା ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀଶ ସ୍ଥିତି ସମୀକ୍ଷା କରିବା ସହିତ ଶାନ୍ତି ରକ୍ଷା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।