ଚେନ୍ନାଇକୁ ହରାଇଲା କୋଲକାତା
ଚେନ୍ନାଇ, ୧୪ା୫ (ଏଜେନ୍ସି): କୋଲକାତା ନାଇଟ୍ ରାଇଡର୍ସ ରବିବାର ଚଳିତ ଆଇପିଏଲ୍ର ୬୧ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି । କୋଲକାତାର ଏହା ୧୩ ମ୍ୟାଚ୍ରୁ ଷଷ୍ଠ ବିଜୟ, ଅନ୍ୟପଟେ ଚେନ୍ନାଇର ସମାନସଂଖ୍ୟକ ମ୍ୟାଚ୍ରୁ ପଞ୍ଚମ ପରାଜୟ ।
କୋଲକାତା ଟିମ୍ ୧୮.୩ ଓଭର୍ରେ ୪ ୱିକେଟ୍ ହରାଇ ୧୪୭ ରନ୍ କରି ବିଜୟୀ ହୋଇଛି । ଟିମ୍ ପକ୍ଷରୁ ଅଧିନାୟକ ନୀତୀଶ ରାଣା ୪୪ ବଲ୍ରୁ ୬ ଚୌକା ଓ ୧ ଛକା ସହାୟତାରେ ୫୭ ଏବଂ ଆନେ୍ଦ୍ର ରସେଲ୍ ୨ ରନ୍ କରି ଅପରାଜିତ ଥିଲେ । ରିଙ୍କୁ ସିଂହ ୪୩ ବଲ୍ରୁ ୫୪ ରନ୍ର ଇନିଂସ୍ ଖେଳିଥିଲେ । ଟିମ୍ ମାତ୍ର ୩୩ ରନ୍ ମଧ୍ୟରେ ତିନି ୱିକେଟ୍ ହରାଇଥିଲା । ରହମନୁଲ୍ଲା ଗୁର୍ବାଜ ୧ ଓ ଭେଙ୍କଟେଶ ଆୟର ୯ ରନ୍ କରି ଦୀପକ ଚାହରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅନ୍ୟତମ ଓପନର୍ ଜାସନ୍ ରୟ (୧୨) ମଧ୍ୟ ଚାହରଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ଏହାପରେ ନୀତୀଶ ଓ ରିଙ୍କୁ ମିଶି ଚତୁର୍ଥ ୱିକେଟ୍ ପାଇଁ ୯୯ ରନ୍ ଯୋଗ କରି ଟିମ୍କୁ ଲକ୍ଷ୍ୟସ୍ଥଳର ନିକଟବର୍ତ୍ତୀ କରାଇଥିଲେ । ଟସ୍ ଜିତି ପ୍ର୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଶିବମ୍ ଦୁବେ ସର୍ବାଧିକ ୪୮ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ଋତୁରାଜ ଗାଏକୱାଡ଼ ଓ ଡେଭନ୍ କନୱେଙ୍କ ଓପନିଂ ଯୋଡ଼ି ୩୧ ରନ୍ରେ ଭାଙ୍ଗିଥିଲା । ଋତୁରାଜ ୧୭ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ୧୬ ରନ୍ କରି ବରୁଣଙ୍କ ଦ୍ୱିତୀୟ ଶିକାର ହୋଇଥଲେ ।
ଏହାପରେ ଆଉ ତିନି ୱିକେଟ୍ ପଡ଼ିବାରୁ ୭୨ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ରନ୍ରେଟ୍ ବି ଆଶାଜନକ ନ ଥିଲା । ଡେଭନ୍ କନୱେ (୩୦)ଙ୍କୁ ଶାର୍ଦ୍ଦୂଳ ଠାକୁର ଆଉଟ୍ କରିଥିବା ବେଳେ ଅମ୍ବାତି ରାୟୁଡ଼ୁ (୪) ଓ ମୋଇନ୍ ଅଲୀ (୧)ଙ୍କ ୱିକେଟ୍ ସୁନୀଲ ନରିନ୍ଙ୍କ ଖାତାକୁ ଯାଇଥିଲା । ଦୁବେ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଯୋଡ଼ି ଷଷ୍ଠ ୱିକେଟ୍ ପାଇଁ ୫୨ ବଲ୍ରୁ ୬୮ ରନ୍ର ଭାଗୀଦାରୀ କରି ସ୍ଥିତିରେ ସୁଧାର ଆଣିଥିଲେ । ଜାଡ଼େଜା ୨୦ ରନ୍ କରି ବୈଭବ ଆରୋରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦୁବେ ୩୪ ବଲ୍ରୁ ୧ ଚୌକା ଓ ୩ ଛକା ସହାୟତାରେ ୪୮ ଏବଂ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨ ରନ୍ କରି ଅପରାଜିତ ଥିଲେ ।