ଆର୍ସିବିର ସହଜ ବିଜୟ
ଆଇପିଏଲ୍-୧୬
ଜୟପୁର, ୧୪ା୫ (ଏଜେନ୍ସି): ପୂର୍ବ ସିଜନ୍ର ଫାଇନାଲିଷ୍ଟ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ରେ ରବିବାର ନିଜ ହୋମ୍ ଗ୍ରାଉଣ୍ଡରେ ଶୋଚନୀୟ ପରାଜୟ ବରଣ କରିଛି । ସଞ୍ଜୁ ସାମ୍ସନ୍ଙ୍କ ଟିମ୍କୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ସିଜନ୍ର ୬୦ତମ ମ୍ୟାଚ୍ରେ ୧୧୨ ରନ୍ରେ ପରାସ୍ତ କରିଛି । ବାଙ୍ଗାଲୋର ପକ୍ଷରୁ ପ୍ରଭାବଶାଳୀ ବୋଲିଂ କରିଥିବା ୱେନ ପାର୍ଣ୍ଣେଲ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ସୱାଇ ମାନସିଂହ ଷ୍ଟାଡିୟମ୍ରେ ଆୟୋଜକ ଟିମ୍ ୧୭୨ ରନ୍ ବିଜୟ ଲକ୍ଷ୍ୟର ପିଛାକରି ୧୦.୩ ଓଭର୍ ଖେଳି ମାତ୍ର ୫୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଏହା ଲିଗ୍ ଇତିହାସର ତୃତୀୟ ସର୍ବନିମ୍ନ ଟିମ୍ ସ୍କୋର୍ । ଦ୍ୱିତୀୟ ସର୍ବନିମ୍ନ ସ୍କୋର୍ ମଧ୍ୟ ରାଜସ୍ଥାନ ନାଁରେ ରହିଛି । ୨୦୦୯ରେ ଟିମ୍ ୫୮ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା । ସେତେବେଳେ ବି ବାଙ୍ଗାଲୋରହିଁ ଟିମ୍କୁ ଅଲ୍ଆଉଟ୍ କରିଥିଲା । ଲିଗ୍ର ସବୁଠାରୁ ଛୋଟ ସ୍କୋର୍ ଆର୍ସିବି ନାଁରେ ରହିଛି, ଯିଏକି ୨୦୧୭ରେ କୋଲକାତା ବିପକ୍ଷରେ ୪୯ ରନ୍ରେ ଭୁଶୁଡ଼ି ଯାଇଥିଲା ।
ଷଷ୍ଠ ବିଜୟ ସହ ବାଙ୍ଗାଲୋର ୧୨ ମ୍ୟାଚ୍ରୁ ୧୨ ପଏଣ୍ଟ ପାଇ ପଞ୍ଚମ ସ୍ଥାନକୁ ଚାଲିଆସିଛି । ଅନ୍ୟପଟେ, ରାଜସ୍ଥାନ (୧୨ ପଏଣ୍ଟ) ୧୩ ମ୍ୟାଚ୍ରୁ ସପ୍ତମ ପରାଜୟ ସହ ଷଷ୍ଠ ସ୍ଥାନରେ ରହିଛି ।
ରାଜସ୍ଥାନ ଟିମ୍ କ୍ରମାଗତ ୱିକେଟ୍ ହରାଇଥିଲା । ଟିମ୍ ପକ୍ଷରୁ ୧୯ ରନ୍ ଥିଲା ସବୁଠାରୁ ବଡ଼ ଭାଗୀଦାରୀ, ଯାହାକି ଅଶ୍ୱିନ ଓ ଶିମରନ୍ ହେଟ୍ମାୟରଙ୍କ ମଧ୍ୟରେ ହୋଇଥିଲା । ହେଟ୍ମାୟର (୩୫ ରନ୍) ଟପ୍ ସ୍କୋରର୍ ଥିଲେ । ଜୋ’ ରୁଟ୍ ୧୦ ରନ୍ କରିଥିଲେ । ସେମାନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଅଧିନାୟକ ସାମ୍ସନ୍ ୪ ରନ୍ କରିଥିଲେ । ୨୮ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିସାରିଥିଲା ।
ବିପକ୍ଷ ବୋଲର୍ ପାର୍ଣ୍ଣେଲ୍ ୧୦ ରନ୍ ଦେଇ ତିନିଟିି ୱିକେଟ୍ ନେଇଥିବା ବେଳେ ମାଇକେଲ୍ ବ୍ରେସ୍ବେଲ୍ ଓ କର୍ଣ୍ଣ ଶର୍ମା ଦୁଇଟି ଲେଖାଏଁ ଏବଂ ମହମ୍ମଦ ସିରାଜ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ବିରାଟ କୋହଲି ଓ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ ଓପନିଂ ଯୋଡ଼ିରେ ୫୦ ରନ୍ର ଭାଗୀଦାରୀ କରିଥିଲେ । କୋହଲି ୧୮ ରନ୍ କରି କେଏମ୍ ଆସିଫ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଡୁ’ ପ୍ଲେସିସ୍ ନୂଆ ବ୍ୟାଟର୍ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ସହ ମିଶି ଇନିଂସ୍କୁ ୧୦୦ ଅତିକ୍ରମ କରାଇବା ସହ ଦ୍ୱିତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଗ କରିଥିଲେ ।
ଡୁ’ ପ୍ଲେସିସ୍ ୪୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଏହାପରେ ସେ ଆଉ ବେଶୀ ବାଟ ଯାଇପାରି ନ ଥିଲେ ଏବଂ ବ୍ୟକ୍ତିଗତ ୫୫ (୪୪ ବଲ୍ରୁ) ରନ୍ରେ ଆସିଫ୍ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ପରବର୍ତ୍ତୀ ଦୁଇ ବ୍ୟାଟର୍ – ମହିପାଲ୍ ଲୋମରୋର୍ (୧) ଓ ଦିନେଶ କାର୍ତ୍ତିକ (୦)ଙ୍କୁ ଗୋଟିଏ ଓଭର୍ (୧୬ତମ)ରେ ପାଭିଲିଅନ୍ ପଠାଇ ଆଦାମ୍ ଜମ୍ପା ଟିମ୍କୁ ଡବଲ୍ ଝଟ୍କା ଦେଇଥିଲେ ।
ଇତ୍ୟବସରେ ମ୍ୟାକ୍ସୱେଲ୍ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ମ୍ୟାକ୍ସୱେଲ୍ (୩୩ ବଲ୍ରୁ ୫ ଚୌକା ଓ ୩ ଛକା ସହାୟତାରେ ୫୪) ଦ୍ରୁତ ଇନିଂସ୍ର ଅନ୍ତ ଘଟାଇଥିଲେ ସନ୍ଦୀପ ଶର୍ମା । ଏହାପରେ ଅନୁଜ ରାୱତ ଓ ମିଚେଲ୍ ବ୍ରେସ୍ୱେଲ୍ ଅପରାଜିତ ୩୪ ରନ୍ ଯୋଗ କରି ଇନିଂସ୍କୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ରାୱତ ୧୧ ବଲ୍ରୁ ୨୯ ଓ ବ୍ରେସ୍ୱେଲ୍ ୯ ରନ୍ କରି ଅପରାଜିତ ଥିଲେ ।