ଖଡ଼ଗେ ବାଛିବେ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ସିଏଲ୍ପି ବୈଠକରେ ନିଷ୍ପତ୍ତି
ବେଙ୍ଗାଲୁରୁ, ୧୪ ।୫: କର୍ଣ୍ଣାଟକରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବା ପରେ ମୁଖ୍ୟମନ୍ତ୍ରୀ ଚୟନ ଲାଗି ରବିବାର ରାତି ୮ଟାରେ ରାଜଧାନୀ ବେଙ୍ଗାଲୁରୁର ଶାଙ୍ଗରୀ-ଲା ହୋଟେଲରେ କଂଗ୍ରେସ ବିଧାୟକ ଦଳ (ସିଏଲ୍ପି)ର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାସ୍ ହୋଇଛି । ସେଥିରେ କୁହାଯାଇଛି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ହିଁ ବିଧାୟକ ଦଳର ନେତା ନିର୍ଦ୍ଧାରଣ କରିବେ ।
ଏଆଇସିସି ପକ୍ଷରୁ ୩ ପର୍ଯ୍ୟବେକ୍ଷକ ସୁଶୀଲ କୁମାର ଶିନେ୍ଦ, ଦୀପକ ବାୱରିୟା ଓ ଭଁୱର ଜିତେନ୍ଦ୍ର ସିଂହ ବୈଠକରେ ଉପସ୍ଥିତ ଥିଲେ । ବୈଠକ ଚାଲିଥିବାବେଳେ ହୋଟେଲ ବାହାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାର ଡିକେ ଶିବକୁମାର ଓ ସିଦ୍ଧରମୈୟାଙ୍କ ସମର୍ଥକମାନେ ନାରାବାଜି କରୁଥିବା ଦେଖାଯାଇଥିଲା । ସୂତ୍ର ଅନୁଯାୟୀ, ଗୁରୁବାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ରାହୁଳ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେବେ । ଦଳ ପକ୍ଷରୁ ସମସ୍ତ ‘ସମମନୋଭାବାପନ୍ନ’ ବ୍ୟକ୍ତିମାନଙ୍କୁ ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଛି । କର୍ଣ୍ଣାଟକ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାମଲିଙ୍ଗା ରେଡ୍ଡି କହିଛନ୍ତି, ସମସ୍ତ କଂଗ୍ରେସ ବିଧାୟକ ଗୁପ୍ତ ବାଲଟ୍ ଜରିଆରେ ମତ ଦେବେ । ଏହାପରେ ପର୍ଯ୍ୟବେକ୍ଷକମାନେ ଜଣ ଜଣ କରି ସମସ୍ତ ୧୩୫ ବିଧାୟକଙ୍କ ସହ ଏକାନ୍ତରେ ଆଲୋଚନା କରିବେ । ତାପରେ ଯାଇ ହାଇକମାଣ୍ଡଙ୍କ ନିକଟକୁ ରିପୋର୍ଟ ପଠାଯିବ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ଦାବିଦାର ଥିଲେହେଁ ହାଇକମାଣ୍ଡ ଜଣଙ୍କ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବେ ।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ହେବା ପାଇଁ କେବଳ ଶିବକୁମାର ଓ ସିଦ୍ଧରମୈୟା ନୁହନ୍ତି, ଅନ୍ୟ ଦୁଇଜଣ ଆଶାୟୀ । ସେମାନେ ହେଲେ ଏନ୍ଡି ପାଟିଲ ଓ ଜି ପରମେଶ୍ୱର ।
ଶ୍ରୀ ଖଡ଼ଗେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଇ କହିଛନ୍ତି, ପର୍ଯ୍ୟବେକ୍ଷକ କମିଟିଙ୍କ ରିପୋର୍ଟ ମିଳିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ଫଇସଲା କରାଯିବ । ଯେତେଦୂର ସମ୍ଭବ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଗୁରୁବାର ହେବ ଶପଥ ଗ୍ରହଣ ଉତ୍ସବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *