କର୍ଣ୍ଣାଟକରେ କଂଗ୍ରେସ
ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାରେ ଗଢ଼ିବ ସରକାର
ରବିବାର କଂଗ୍ରେସ ବିଧାୟକ ଦଳ ବୈଠକ
ଦକ୍ଷିଣରେ ବିଜେପି ଦୁର୍ଗ ଧରାଶାୟୀ
ବିଜେପି-ଜେଡିଏସ୍ ହରାଇଲେ ୭୫ ଆସନ
ବେଙ୍ଗଲୁରୁ/ନୂଆଦିଲ୍ଲୀ, ୧୩ା୫: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି । ଦେଶର ସର୍ବପୁରାତନ ଦଳ ୧୦ ବର୍ଷ ପରେ ନିଜ ଦମ୍ରେ ସରକାର ଗଠନ କରିବାକୁ ଯାଉଥିବାବେଳେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନର ୩୮ ବର୍ଷର ପରମ୍ପରା ଭାଙ୍ଗିବାରେ ବିଜେପି ବିଫଳ ହୋଇଛି । ଅର୍ଥାତ୍ ଭୋଟର୍ମାନେ ପୁନର୍ବାର ବିଜେପି ସରକାର ଗଢିବା ଚାହିଁଲେ ନାହିଁ । ବିଜେପି ଓ ଜେଡିଏସ୍ଠାରୁ କଂଗ୍ରେସ ଏଥର ୭୫ ଆସନ ଛଡାଇ ନେଇ ନୂଆ ଇତିହାସ ମଧ୍ୟ ରଚିଛି ।
୨୨୪ ଆସନ ବିଶିଷ୍ଟ ବିଧାନସଭାର ୧୩୬ ଆସନରେ ବିଜୟୀ ହୋଇଛି କଂଗ୍ରେସ । ବିଜେପିକୁ ୬୫ ଆସନ ମିଳିଥିବାବେଳେ ଜେଡିଏସ୍ ହାତକୁ ହାତକୁ ଆସିଛି ୧୯ ଆସନ । ଗତଥର ଅପେକ୍ଷା କଂଗ୍ରେସ ଅଧିକ ୫୬ ଆସନ ପାଇଥିବା ସ୍ଥଳେ ବିଜେପି ଓ ଜେଡିଏସ୍ ଯଥାକ୍ରମେ ୩୯ ଓ ୧୮ ଆସନ ହରାଇଛନ୍ତି । ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିବାବେଳେ କଲ୍ୟାଣ ରାଜ୍ୟ ପ୍ରଗତି ପକାଶ ଓ ସର୍ବୋଦୟ କର୍ଣ୍ଣାଟକ ପକାଶ ଦଳର ପ୍ରାର୍ଥୀଙ୍କୁ ଗୋଟିଏ ଲେଖାଏଁ ଆସନ ମିଳିଛି ।
ରବିବାର ସନ୍ଧ୍ୟା ସାଢେ ୫ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ । ସିଦ୍ଧରମେୟା ବିଧାୟକ ଦଳ ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଅଧିକ ରହିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସିଂହ ସୁରଜେୱାଲା ଏବଂ ସଂଗଠନ ମହାସଚିବ କେସି ବେଣୁଗୋପାଳ ବେଙ୍ଗଲୁରୁରେ ଉପସ୍ଥିତ ଅଛନ୍ତି । ସେଥିଲାଗି ବିଧାୟକ ଦଳ ବୈଠକ ଡକାଯିବାରେ ବିଳମ୍ବ ହୋଇନାହିଁ । ଅବଶ୍ୟ ଦଳର ବିପୁଳ ବିଜୟ ପରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନାହାନ୍ତି । ସେ କହିଛନ୍ତି, ହାଇକମାଣ୍ଡହିଁ ଚୂଡାନ୍ତ ନିଷ୍ପତ୍ତି ନେବେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଦଳର ନେତୃତ୍ୱକୁ ନେଇ ସିଦ୍ଧରମେୟା ଓ ଡିକେ ଶିବକୁମାରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବହୁଦିନ ଧରି ଲାଗି ରହିଥିଲା । ଏହି କାରଣରୁ କର୍ଣ୍ଣାଟକ କଂଗ୍ରେସ ବସ୍ତୁତଃ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲା । ତେବେ ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ଦୁହିଁଙ୍କ ମଧ୍ୟରେ ସହମତି ସୃଷ୍ଟି ହେବା ଯୋଗୁଁ ହିଁ ଦଳକୁ ମିଳିଛି ବିପୁଳ ସଫଳତା ।