ବୃହତ୍ ବିଜୟ
ଜିତିଲେ ଦୀପାଳି
ଭୁବନେଶ୍ୱର,୧୩ା୫(ବୁ୍ୟରୋ): ଝାରସୁଗୁଡା ଉପନିର୍ବାଚନରେ ବିଜେଡି ବାଜିମାତ କରିଛି । ଦଳର ପ୍ରାର୍ଥୀ ଦୀପାଳି ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୬୧୯ ଭୋଟ୍ରେ ପରାସ୍ତ କରିଛନ୍ତି । ଦୀପାଳିଙ୍କୁ ମୋଟ ୧ ଲକ୍ଷ ୭ ହଜାର ୧୯୮ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ୫୮ ହଜାର ୪୭୭ ଭୋଟ୍ ମିଳିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ତାଙ୍କ ଅମାନତ ହରାଇଛନ୍ତି । ତାଙ୍କ ସପକ୍ଷରେ ମାତ୍ର ୪ ହଜାର ୪୯୬ ଖଣ୍ଡ ଭୋଟ୍ ମିଳିଛି । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ଉପନିର୍ବାଚନରେ ବିଜେଡି ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କରିଛି ।
ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ସହ ଝାରସୁଗୁଡାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ବିଜେଡି ପ୍ରାର୍ଥିଙ୍କୁ ବିପୁଳ ଭୋଟରେ ବିଜୟ କରାଇଥିବାରୁ ଝାରସୁଗୁଡାବାସୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ୪୫ ହଜାର ୬୯୯ ଭୋଟ୍ ରେ ପରାସ୍ତ କରିଥିଲେ । ନବଙ୍କୁ ସମୁଦାୟ ୯୮ ହଜାର ୬୨୦ ଭୋଟ ମିଳିଥିବା ବେଳେ ଦିନେଶଙ୍କୁ ୫୨ ହଜାର ୯୨୧ ଖଣ୍ଡ ଭୋଟ ମିଳିଥିଲା । ସେହିପରି ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କ ସପକ୍ଷରେ ୧୮ ହଜାର ୮୨୩ ଖଣ୍ଡ ଭୋଟ୍ ମିଳିଥିଲା । ନବ ଦାସଙ୍କ ଆକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ହୋଇଥିଲା । ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କମ୍ ସମୟ ରହିଥିବାରୁ ଏହି ଉପନିର୍ବାନ ସବୁ ରାଜନୈକିକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ଉପନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ପ୍ରତି ଜନ ସମର୍ଥନ ଅତୁଟ ରହିଥିବା ପୁଣି ଥରେ ପ୍ରମାଣିତ ହୋଇଛି । ବାପା ନବ କିଶୋର ଦାସଙ୍କ ଠାରୁ ଅଧିକ ସଂଖ୍ୟକ ଭୋଟରେ ବିଜୟ ହେବା ସହିତ ରେକର୍ଡ ସୃଷ୍ଟି କରିଛନ୍ତି ଦୀପାଳି ।
ଏହି ନିର୍ବାଚନରେ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କୁ ବିରୋଧ କରି ୨୦୭୩ ଜଣ ମତଦାତା ସେମାନଙ୍କ ଭେଟ୍ ନୋଟା ରେ ଦେଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ସପକ୍ଷରେ ୫୮୩୮୪ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ସପକ୍ଷରେ ୪୪୭୩, ବିଜେପି ପ୍ରାର୍ଥୀ ଦୀପାଳ ଦାସଙ୍କ ସପକ୍ଷରେ ସର୍ବାଧିକ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ମିଳିଛି । ସେହିପରି ଓପିଡିର ଜନ୍ମ ରୋହିଦାସଙ୍କ ସପକ୍ଷରେ ୭୧୬ ଭୋଟ୍ , ମନିଶ ଶର୍ମାଙ୍କ ଖାତାରେ ୨୮୪ ଖଣ୍ଡ ଭୋଟ୍, କଳିଙ୍ଗ ସେନା ପ୍ରାର୍ଥୀ ମହେନ୍ଦ୍ର ପଟ୍ଟନାୟକଙ୍କ ଖାତାରେ ୪୨୫ ଖଣ୍ଡ ଭୋଟ୍ ମିଳିଛି । ସେହିପରି ସ୍ୱାଧିନ ପ୍ରାର୍ଥୀ ବିଜୟ କୁମାର ଜଲାନ୍ ଙ୍କୁ ୪୫୪ ଖଣ୍ଡ ଭୋଟ ମିଳିଥିବା ବେଳେ ମହେନ୍ଦ୍ର ଲୁହା ୮୨୮ ଓ ଜ୍ଞାନେନ୍ଦ୍ର ବେହେରାଙ୍କୁ ୯୭୨ ଖଣ୍ଡ ଭୋଟ୍ ମିଳିଛି ।