ଗରିବଙ୍କ ଶକ୍ତି ପୁଞ୍ଜିପତିଙ୍କୁ ପରାସ୍ତ କଲା
ନୂଆଦିଲ୍ଲୀ, ୧୩ା୫: ଘୃଣା ରାଜନୀତିର ବଜାର ବନ୍ଦ ହେଲା, ଶାନ୍ତି ଓ ପ୍ରେମର ଦୋକାନ ଖୋଲିଲା । ଗରିବଙ୍କ ଶକ୍ତି ପୁଞ୍ଜିପତିଙ୍କ ସଂଘବଦ୍ଧ ଶକ୍ତିକୁ ପରାଜିତ କଲା ବୋଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ମତବ୍ୟକ୍ତ କରିଛନ୍ତି ।
ଦାକ୍ଷିଣାତ୍ୟ ରାଜ୍ୟ କର୍ଣ୍ଣାଟକରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇବା ପରେ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ରାହୁଲ ଅତ୍ୟନ୍ତ ଉତ୍ଫୁଲିତ ହୋଇ କହିଛନ୍ତି, କର୍ଣ୍ଣାଟକରୁ ବିଜେପିର ବିପର୍ଯ୍ୟୟ ଆରମ୍ଭ ହେଲା । ଏଣିକି ସବୁ ରାଜ୍ୟରେ ମଧ୍ୟ ସମାନ ଅବସ୍ଥା ଭୋଗିବ । ଜନସାଧାରଣଙ୍କ ସମସ୍ୟା ଓ ସକାରାତ୍ମକ ମାନସିକତା ନେଇ ଆମେ ପ୍ରଚାର କରିଥିଲୁ । ଆମେ ଗରିବଙ୍କ ପ୍ରସଙ୍ଗଗୁଡିକ ଉପରେ ପ୍ରାଧାନ୍ୟ ଦେଇ ଲଢିଥିଲୁ ଯାହା ଜନତାଙ୍କ ହୃଦୟକୁ ଛୁଇଁଥିଲା ବୋଲି ଫଳାଫଳରୁ ପ୍ରମାଣିତ ହୋଇଛି ।
ସେ କହିଛନ୍ତି, ପ୍ରଥମ ଦିନ ପ୍ରଥମ କ୍ୟାବିନେଟରେ ଇସ୍ତାହାରରେ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରୟାସ କରିବୁ । କର୍ଣ୍ଣାଟକବାସୀ ଆମ ଦଳର ଦେଶ ପ୍ରେମକୁ ପସନ୍ଦ କଲେ । ଏହା ହେଉଛି କର୍ଣ୍ଣାଟକବାସୀଙ୍କ ବିଜୟ ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ୫ ପ୍ରତିଶ୍ରୁତି ଦେଇଥିଲା । ସମସ୍ତ ମହିଳାଙ୍କୁ ମାଗଣା ବସ୍ ପାସ୍, ପରିବାରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ୨୦୦୦ଟଙ୍କା ଭତ୍ତା, ସ୍ନାତକ ପାସ୍ କରିଥିବା ବେକାର ଯୁବପିଢ଼ିଙ୍କୁ ପ୍ରତିମାସରେ ୫ ହଜାର ଓ ଡିପ୍ଲୋମାଧାରୀଙ୍କୁ ୧୫ ଶହ ଟଙ୍କା, ୧୦କିଲୋ ·ଉଳ ଏବଂ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଣ ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା ।
କର୍ଣ୍ଣାଟକରେ କଂଗ୍ରେସ ବିପୁଳ ବିଜୟ ପଛରେ ଭାରତ ଯୋଡ ଯାତ୍ରା ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ରାହୁଲ ଗାନ୍ଧୀ କର୍ଣ୍ଣାଟକରୁ ହିଁ ତାଙ୍କ ଭାରତ ଯୋଡ ଯାତ୍ରା ଆରମ୍ଭ କରିଥିଲେ । ୨୧ ଦିନ କାଳ କର୍ଣ୍ଣାଟକରେ ପଦଯାତ୍ରା କରିବା ମଧ୍ୟରେ ସେ ୭ ଜିଲ୍ଲା ଅତିକ୍ରମ କରିଥିଲେ । ଏହି ୭ ଜିଲ୍ଲାରେ ଅଛି ୪୮ ବିଧାନସଭା ଆସନ । ସେଥିରୁ ୩୨ଟିରେ କଂଗ୍ରେସ ଜିତିଛି । ୨୦୧୮ ବିଧାନସଭା ନିର୍ବାଚନରେ ଏହି ୭ ଜିଲ୍ଲାରୁ କଂଗ୍ରେସ ପାଇଥିବା ୧୫ ଆସନ, ବିଜେପିକୁ ମିଳିଥିଲା ୧୭ ଓ ଜେଡିଏସ୍କୁ ମିଳିଥିଲା ୧୪ ଆସନ ।