ଦିଲ୍ଲୀକୁ ହରାଇଲା ପଞ୍ଜାବ
ନୂଆଦିଲ୍ଲୀ, ୧୩ା୫ (ଏଜେନ୍ସି): ପ୍ରଭସିମରନ୍ ସିଂହଙ୍କ ଶତକ ଓ ବୋଲର୍ଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ପଞ୍ଜାବ କିଙ୍ଗ୍ସ ଶନିବାର ଚଳିତ ଆଇପିଏଲ୍ର ୫୯ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩୧ ରନ୍ରେ ପରାସ୍ତ କରିଛି ।
୧୬୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୩୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଡେଭିଡ୍ ୫୪ ରନ୍ କରିଥିଲେ ।
ଦିଲ୍ଲୀ ଟିମ୍ ପକ୍ଷରୁ ୱାର୍ଣ୍ଣର ଓ ଫିଲ୍ ସଲ୍ଟ ଓପନିଂ ଯୋଡ଼ିରେ ମାତ୍ର ୩୮ ବଲ୍ରୁ ୬୯ ରନ୍ର ଭାଗୀଦାରୀ କରିଥିଲେ । ସଲ୍ଟ ୨୧ ରନ୍ କରି ହରପ୍ରୀତ ବ୍ରାର୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହା ସହିତ ୱିକେଟ୍ ପତନ ଆରମ୍ଭ ହୋଇଯାଇଥିଲା । ପରବର୍ତ୍ତୀ ବ୍ୟାଟର୍ ମିଚେଲ୍ ମାର୍ଶ (୩) ଓ ରିଲି ରୋସୋ (୫) ଦୁଇ ଅଙ୍କ ଛୁଇଁ ନ ପାରି ଯଥାକ୍ରମେ ରାହୁଲ ଚାହର ଓ ବ୍ରାର୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ନବମ ଓଭର୍ରେ ବ୍ରାର୍, ରୋସୋଙ୍କ ସହିତ ୱାର୍ଣ୍ଣର (୨୭ ବଲ୍ରୁ ୫୪)ଙ୍କ ୱିକେଟ୍ ବି ନେଇଥିଲେ । ଏହାପରେ ଅକ୍ଷର ପଟେଲ୍ ୧ ରନ୍ କରି ଚାହରଙ୍କ ବଲ୍ରେ ଏବଂ ମନୀଷ ପାଣ୍ଡେ କୌଣସି ସ୍କୋର୍ ନ କରି ବ୍ରାର୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୮୮ ରନ୍ରେ ଟିମ୍ ୬ ୱିକେଟ୍ ହରାଇଥିଲା ।
ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଦିଲ୍ଲୀ ଟିମ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ପ୍ରଭସିମରନ୍ ୬୫ ବଲ୍ରୁ ସର୍ବାଧିକ ୧୦୩ ରନ୍ କରିଥିଲେ । ତାଙ୍କ ଇନିଂସ୍ରେ ୧୦ ଚୌକା ଓ ୬ ଛକା ରହିଥିଲା । ବିପକ୍ଷ ବୋଲର୍ ଈଶାନ୍ତ ଶର୍ମା ୨ ୱିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ୍, ପ୍ରବୀଣ ଦୁବେ, କୁଲଦୀପ ଯାଦବ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଓପନର୍ ପ୍ରଭସିମରନ୍ଙ୍କ ଛଡ଼ା ଅନ୍ୟ କେହି ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲେ । ଟିମ୍ର ଓପନିଂ ଯୋଡ଼ି ମାତ୍ର ୧୦ ରନ୍ରେ ଭାଙ୍ଗିଥିଲା । ଅଧିନାୟକ ଶିଖର ଧାବନ୍ ୭ ରନ୍ କରି ଈଶାନ୍ତଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ପରବର୍ତ୍ତୀ ଦୁଇ ବ୍ୟାଟର୍ – ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ (୪) ଓ ଜିତେଶ ଶର୍ମା (୫) ମଧ୍ୟ ଦୁଇ ଅଙ୍କ ଛୁଇଁପାରି ନ ଥିଲେ ଏବଂ ଯଥାକ୍ରମେ ଈଶାନ୍ତ ଓ ଅକ୍ଷର ପଟେଲ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୪୫ ରନ୍ରେ ୩ ୱିକେଟ୍ ପଡ଼ିଥିଲା ।
ଅନ୍ୟପଟେ, ପ୍ରଭସିମରନ୍ଙ୍କ ଦୃଢ଼ ପ୍ରଦର୍ଶନ ଜାରି ରହିଥିଲା । ସେ ସାମ୍ କରାନ୍ଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୭୨ ରନ୍ ଯୋଗ କରିଥିଲେ । କରାନ୍ ୨୦ ରନ୍ କରି ପ୍ରବୀଣଙ୍କ ଶିକାର ହୋଇଥିଲେ । ହରପ୍ରୀତ ବ୍ରାର୍ (୨)ଙ୍କ ୱିକେଟ୍ କୁଲଦୀପଙ୍କ ଖାତାକୁ ଯାଇଥିବା ବେଳେ ଏମ୍. ଶାହରୁଖ ଖାନ୍ (୨) ରନ୍ଆଉଟ୍ ହୋଇଯାଇଥିଲେ । ଟିମ୍ର ସ୍କୋର୍ ୧୫୪ ହୋଇଥିବା ବେଳେ ୬୧ ବଲ୍ରୁ ଶତକ ଲଗାଇଥିବା ପ୍ରଭସିମରନ୍ଙ୍କ ଇନିଂସ୍ର ଅନ୍ତ ଘଟାଇଥିଲେ ମୁକେଶ ।