ବନ୍ଦ ଘରୁ ମା’ ଓ ଦୁଇ ପିଲାଙ୍କ ଶବ ଉଦ୍ଧାର
ସମ୍ବଲପୁର, ୧୩ା୫(ଆପ୍ର): ତାଲା ବନ୍ଦ ଥିବା ଏକ ଘର ଭିତରୁ ଶନିବାର ସନ୍ଧ୍ୟାରେ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାତ୍ର କେଉଁ କାରଣରୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।
ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ଦୁ୍ର୍ଗନ୍ଧ ଆସିବାରୁ ସାହି ପଡିଶା ଧନୁପାଲି ଥାନାକୁ ଖବର ଦେଇଥିଲେ । ପୁଲିସ ଘର ଭିତରୁ ୩ ଶବ ଜବତ କରିଥିଲା । ମୃତକମାନେ ହେଲେ ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮) । ପୁଲିସ କହିବା ଅନୁସାରେ ଧନୁପାଲି ଥାନା ଅନ୍ତର୍ଗତ ସନାପାଲି ଅଞ୍ଚଳରେ ଏକ ଘର ଭିତରେ ୩ ଜଣଙ୍କର ମୃତଦେହ ପଡ଼ିଥିବା ନେଇ ସୂଚନା ମିଳିଥିଲା । ଏହି ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ୍ଦ ଘରୁ ମା’ ଓ ତାଙ୍କର ପୁଅ ଓ ଝିଅ ମୃତଦେହ ଠାବ କରାଯାଇଛି । ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି । ସଦର ଏସଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି । ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ । ଘର ସିଲ୍ କରାଯାଇଥିବା ବେଳେ ଅତିରିକ୍ତ ଏସିପିି ଅଟକୋ କୁଜୁର ଘର ବାହାରେ ମୁତୟନ ଅଛନ୍ତି । ସାଜିଆଙ୍କ ଘରକୁ ଯିବାଆସିବା କରୁଥିବା ଯୁବକ ଫେରାର ଥିବାରୁ ଏହା ହତ୍ୟାକାଣ୍ଡ ବୋଲି ଆଶଙ୍କା ଘନିଭୂତ ହୋଇଛି ।