କର୍ଣ୍ଣାଟକ ପରାଜୟର ପାଞ୍ଚ କାରଣ
ବେଙ୍ଗଲୁରୁ/ନୂଆଦିଲ୍ଲୀ, ୧୩ା୫: ବିଜେପି କର୍ଣ୍ଣର୍ାଟକରେ ସମସ୍ତ ଶକ୍ତି ପ୍ରୟୋଗ କରିବା ସତ୍ତ୍ୱେ କାହିଁକି ହାରିଲା, ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜନୈତିକ ବିଶ୍ଳେଷକମାନେ ଏ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ହାରିବା ପଛରେ ୫ ପ୍ରମୁଖ କାରଣ ରହିଛି ।
ଦଳୀୟ କନ୍ଦଳ ପରାଜୟର ସବୁଠାରୁ ବଡ କାରଣ । ଅନ୍ତର୍ଦ୍ୱନ୍ଦ୍ୱ ଯୋଗୁ ବିଦ୍ରୋହୀଙ୍କ ସଂଖ୍ୟା ବୃଦ୍ଧି ପାଇଲା । କନ୍ଦଳ କେବଳ ନିର୍ବାଚନ ପ୍ରଚାର ସମୟରେ ନୁହେଁ, ବହୁ ପୂର୍ବରୁ ଜଣାପଡିଥିଲା । କର୍ଣ୍ଣାଟକ ବିଜେପିରେ ତେଣୁ ବହୁ ଗୋଷ୍ଠୀ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦୁରପ୍ପା ହଟିବା ସମୟରୁ ସେ ଗୋଟିଏ ଗୋଷ୍ଠୀ ଗଢିଥିଲେ । ଦ୍ୱିତୀୟ ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କର । ତୃତୀୟ ଗୋଷ୍ଠୀର ନେତା ବିଜେପିର ରାଷ୍ଟ୍ରୀୟ ମହାସଚିବ (ସଂଗଠନ) ବିଏଲ୍ ସନ୍ତୋଷ । ଚତୁର୍ଥ ଗୋଷ୍ଠୀର ନେତୃତ୍ୱ ନେଉଥିଲେ ରାଜ୍ୟ ବିଜେପିର ନଳୀନ କୁମାର କଟିଲ । ଏହାବାଦ୍ ଆଉ ଏକ ଗୋଷ୍ଠୀ ମଧ୍ୟ ଥିଲା ଯାହା ରାଷ୍ଟ୍ରୀୟ ମହାସଚିବ ସିଟି ରବିଙ୍କ ଇଙ୍ଗୀତରେ ଚାଲୁଥିଲା । ସମସ୍ତଙ୍କ ଭିତରେ ପାୱାର ଗେମ୍ର ଲଢେଇ ଚାଲିଥିଲା ।
ଦ୍ୱିତୀୟତଃ ଟିକେଟ ବଣ୍ଟନକୁ କେନ୍ଦ୍ର କରି ଅଶାନ୍ତି ସୃଷ୍ଟି ହେଲା । ବହୁ ଆଶାୟୀ ଟିକେଟ ନ ପାଇ ବିରୋଧୀଙ୍କ ପାଇଁ କାମ କଲେ କିମ୍ବା ବିଦ୍ରୋହୀ ଭାବେ ଲଢ଼ିଲେ । ପ୍ରାୟ ୧୫ ନିର୍ବାଚନମଣ୍ଡଳୀରେ ବିଜେପିର ବିଦ୍ରୋହୀ ନେତାମାନେ ଲଢିଥିଲେ । ପୁନଶ୍ଚ ଜଗଦୀଶ ଶେଟାର, ଲକ୍ଷ୍ମଣ ସାୱଦୀଙ୍କ ଭଳି ନେତାମାନେ ଦଳ ଛାଡିବା ବିଜେପି ପାଇଁ କ୍ଷତିକାରକ ହେଲା । ତୃତୀୟରେ ସରକାର ବିରୋଧରେ ଭ୍ରଷ୍ଟାଚାର ଆରୋପ ଦଳ ପାଇଁ ଅଧିକ କ୍ଷତି ପହଞ୍ଚାଇଲା । ଚତୁର୍ଥରେ ଦକ୍ଷିଣ ବନାମ ଉତ୍ତର ଲଢ଼େଇ । ବିଜେପି ଏକ ଜାତୀୟ ଦଳ ଓ କେନ୍ଦରରେ କ୍ଷମତାସୀନ । ଏହି ଅବସ୍ଥାରେ ବିଜେପି ନେତାମାନେ ହିନ୍ଦୀ ବନାମ କନ୍ନଡ଼ ଲଢ଼େଇ ପ୍ରସଙ୍ଗରେ ମୌନ ରହିଲେ । କିନ୍ତୁ କଂଗ୍ରେସର ରାଜ୍ୟ ନେତୃବୃନ୍ଦ ଉକ୍ତ ପ୍ରସଙ୍ଗକୁ ଜୋରଦାର କଲେ । ନନ୍ଦିନୀ ଦୁଗ୍ଧ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତାମାନେ ଭୋଟରଙ୍କ ନିକଯକୁ ଗଲେ । ପଞ୍ଚମରେ ସଂରକ୍ଷଣ ପ୍ରସଙ୍ଗ ବିଜେପି ପାଇଁ କାଳ ହେଲା । କ୍ଷମତାରେ ଥାଇ ବିଜେପି ସରକାର ମୁସଲମାନଙ୍କ ଲାଗି ଉଦ୍ଦିଷ୍ଟ ୪ % ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରି ଲିଙ୍ଗାୟତ ଓ ଅନ୍ୟବର୍ଗଙ୍କ ମଧ୍ୟରେ ବାଣ୍ଟିଦେଲେ । ଯାହାକି ସଂଖ୍ୟାଲଘୁ ଓ ଅନ୍ୟବର୍ଗଙ୍କ ରୋଷର କାରଣ ହେଲା ।