ପ୍ଲେ-ଅଫ୍ ଆଶା ବଜାୟ ରଖିଲା ଲକ୍ଷ୍ନୌ

ଆଇପିଏଲ୍-୧୬
ହାଇଦରାବାଦ, ୧୩ା୫ (ଏଜେନ୍ସି): ପ୍ରେରକ ମଙ୍କଡ଼ଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ଶନିବାର ସନ୍ରାଇଜର୍ସ ହାଇଦରାବାଦକୁ ୭ ୱିକେଟ୍ରେ ହରାଇ ଆଇପିଏଲ୍ ପ୍ଲେ-ଅଫ୍ ଆଶା ବଳବତ୍ତର ରଖିଛି । ପ୍ରେରକ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଲକ୍ଷ୍ନୌ ୧୨ ମ୍ୟାଚ୍ରୁ ଷଷ୍ଠ ବିଜୟ ସହ ମୋଟ୍ ୧୩ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ଟିମ୍କୁ ପରବର୍ତ୍ତୀ ଦୁଇ ମ୍ୟାଚ୍ ଜିତିବାକୁ ହେବ । ଅନ୍ୟପଟେ ୨୦୧୬ ବିଜେତା ହାଇଦରାବାଦ ଟିମ୍ ୧୧ ମ୍ୟାଚ୍ରୁ ୮ ପଏଣ୍ଟ ପାଇ ନବମ ସ୍ଥାନରେ ରହିଛି । ଟିମ୍ର ଆଉ ପ୍ଲେ-ଅଫ୍ ଆଶା ନାହିଁ ।
ଚଳିତ ସିଜନ୍ର ୫୮ତମ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ହାଇଦରାବାଦ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା । ୧୮୩ ଟାର୍ଗେଟ୍ ଏହି ଟ୍ରାକ୍ରେ ସେତେ ସହଜ ନ ଥିଲା, ଯାହାକି ମ୍ୟାଚ୍ ଆଗକୁ ବଢ଼ିବା ସହିତ ଧୀମା ହୋଇଯାଇଥିଲା ।
ସ୍ଥାନୀୟ ଖେଳାଳି ପ୍ରେରକ (୪୫ ବଲ୍ରୁ ଅପରାଜିତ ୬୪ ରନ୍), କାରିବୀୟ ନିକୋଲାସ୍ ପୂରନ୍ (୧୩ ବଲ୍ରୁ ଅପରାଜିତ ୪୪) ଓ ଅଷ୍ଟ୍ରେଲୀୟ ଅଲ୍ରାଉଣ୍ଡର ମାର୍କସ ଷ୍ଟୋଇନିସ୍ (୨୫ ବଲ୍ରୁ ୪୦)ଙ୍କ ଯୋଗଦାନ ପୂର୍ବରୁ ଲକ୍ଷ୍ନୌ ଟିମ୍ ଚାରି ବଲ୍ ବାକି ଥାଇ ୩ ୱିକେଟ୍ ହରାଇ ୧୮୫ ରନ୍ କରି ବିଜୟୀ ହୋଇଥିଲା ।
ତେବେ ଟିମ୍ର ଆରମ୍ଭ ଭଲ ନ ଥିଲା । କାଇଲ୍ ମାୟର୍ସ ଓ କୁଇଣ୍ଟନ ଡି’ କକ୍ଙ୍କ ଓପନିଂ ଯୋଡ଼ି ମାତ୍ର ୧୨ ରନ୍ରେ ଭାଙ୍ଗିଥିଲା । ମାୟର୍ସ ୧୪ ବଲ୍ ଖେଳି ମାତ୍ର ୨ ରନ୍ କରି ଗ୍ଲେନ୍ ଫିଲିପ୍ସଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଡି’ କକ୍ ଓ ପ୍ରେରକ ଇନିଂସ୍କୁ ୫୪ ରନ୍ରେ ପହଞ୍ଚାଇଥିଲେ । ଡି’ କକ୍ ୨୯ ବଲ୍ କରି ମୟଙ୍କ ମର୍କଣ୍ଡେଙ୍କ ଶିକାର ହୋଇଥିଲେ ।
ପ୍ରେରକ ନୂଆ ବ୍ୟାଟର୍ ଷ୍ଟୋଇନିସ୍ଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଗ କରିଥିଲେ । ଷ୍ଟୋଇନିସ୍ଙ୍କୁ ଆଉଟ୍ କରି ଅଭିଷେକ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିବା ପୂରନ୍ଙ୍କ ଧୂଆଁଦାର ବ୍ୟାଟିଂ ଯୋଗୁଁ ଟିମ୍ ଶେଷ ଓଭର୍ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିଲା । ଇତ୍ୟବସରେ ପ୍ରେରକ ୩୫ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲା । ପ୍ରେରକଙ୍କ ଅର୍ଦ୍ଧଶତକୀୟ ଇନିଂସ୍ରେ ୭ ଚୌକା ଓ ୨ ଛକା ରହିଥିବା ବେଳେ ପୂରନ୍ଙ୍କ ଇନିଂସ୍ରେ ୩ ଚୌକା ଓ ୪ ଛକା ରହିଥିଲା ।
ଏହା ପୂର୍ବରୁ ହାଇଦରାବାଦ ଟିମ୍ ପକ୍ଷରୁ ହିନରିଚ୍ କ୍ଲାସେନ୍ ୨୯ ବଲ୍ରୁ ସର୍ବାଧିକ ୪୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବଦୁଲ ସମାଦ ୨୫ ବଲ୍ରୁ ଅପରାଜିତ ୩୭, ଅନମୋଲପ୍ରୀତ ସିଂହ ୩୬, ଅଧିନାୟକ ଏଡେନ୍ ମାର୍କ୍ରମ ୨୮, ଅଭିଷେକ ଶର୍ମା ୭, ଭୁବନେଶ୍ୱର କୁମାର ଅପରାଜିତ ୨ ରନ୍ କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ କୌଣସି ସ୍କୋର୍ ନ କରି ପାଭିଲିଅନ୍ ଫେରିଥିଲେ ।
ବିପକ୍ଷ ବୋଲର୍ କୃଣାଲ ପାଣ୍ଡ୍ୟା ୨ ଏବଂ ଯୁଦ୍ଧବୀର ସିଂହ, ଅଭେଶ ଖାନ, ଯଶ ଠାକୁର ଓ ଅମିତ ମିଶ୍ର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *