ମନ୍ତ୍ରିମଣ୍ଡଳର ହେବ ନବକଳେବର

ବାଚସ୍ପତିଙ୍କ ସମେତ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ
ଭୁବନେଶ୍ୱର,୧୨ା୫(ବୁ୍ୟରୋ): ଶୁକ୍ରବାର ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆରୁଖଙ୍କ ପରେ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଇସ୍ତଫା ଦେଇଛନ୍ତି । ଶନିବାର ଆଉ ୨ରୁ ୩ ଜଣ ମନ୍ତ୍ରୀ ପଦ ତ୍ୟାଗ କରିପାରନ୍ତି । ମନ୍ତ୍ରୀ ରୀତା ସାହୁ ଶନିବାର ଇସ୍ତଫା ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ମନ୍ତ୍ରିମଣ୍ଡଳର ନବକଳେବର କରିବେ ବୋଲି ଚର୍ଚ୍ଚା ହେଉଛି । ଶୁକ୍ରବାର ସନ୍ଧ୍ୟାରେ ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଥିଲେ । ତେବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ୱ ଦେବେ ସେ ତାହା କରିବାକୁ ପ୍ରସ୍ତୁତ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ବାଚସ୍ପତିଙ୍କ ଇସ୍ତଫା ଖବରର କିଛି ସମୟ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଦୁଇ ମନ୍ତ୍ରୀ ବିବାଦରେ ଛନ୍ଦି ହୋଇଥିଲେ । ବର୍ତ୍ତମାନ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ଏକ ପ୍ରକାର ସ୍ପଷ୍ଟ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି ।
ଗତ ବର୍ଷ ଜୁନ୍ରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ । ଏହାପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯାଇଥିଲା । ଏଥିରେ କେତେକ ନୂଆ ମୁହଁ ସାମିଲ ହୋଇଥିଲେ । ସାଧାରଣ ନିର୍ବାଚନକୁ ଆଉ ମାତ୍ର ବର୍ଷେରୁ କମ୍ ସମୟ ରହିଥିବା ବେଳେ ଦଳକୁ ମଜଭୁତ କରିବା ଏବଂ ଦଳ ଉପରେ ଲୋକଙ୍କ ଭରସା ବଳବତ୍ତର ରଖିବାକୁ ମୁଖ୍ୟମନ୍ତ୍ରୀ ଏହି ମାଷ୍ଟରଷ୍ଟ୍ରୋକ୍ ଖେଳିଥିବା ଚର୍ଚ୍ଚା ଜୋର ଧରିଛି ।
ବାଚସ୍ପତି ଦୌଡରେ ଦେବୀ ପ୍ରସାଦ ମିଶ୍ର, ଶଶିଭୂଷଣ ବେହେରା ଓ ନିରଞ୍ଜନ ପୂଜାରୀଙ୍କ ନାଁ ନେଇ ଆଲୋଚନା ହେଉଛି । ସେହିପରି ନବ ଦାସଙ୍କ ମୃତୁ୍ୟ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଅର୍ଥମନ୍ତ୍ରୀଙ୍କ ନିକଟରେ ରହିଛି । ଶୁକ୍ରବାର ଆଉ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବାରୁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।
ଯଦି ଆଞ୍ଚଳିକ ଭିତ୍ତିରେ ମନ୍ତ୍ରିମଣ୍ଡଳର ନବକଳେବର ହୁଏ ତେବେ ଗଞ୍ଜାମ ଜିଲ୍ଲା ରାଜନୈତିକ ସମୀକରଣ ଦୃଷ୍ଟିରୁ ଶ୍ରୀକାନ୍ତ ସାହୁଙ୍କ ସ୍ଥାନରେ ଶ୍ରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଜଗତସିଂପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ରାଉରକେଲା ବିଧାୟକ ସାରଦା ନାୟକ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ଅପରପକ୍ଷରେ ଝାରସୁଗୁଡା ଉପନିର୍ବାଚନ ଶନିବାର ପ୍ରକାଶ ପାଉଥିବାରୁ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ମୁଖ୍ୟମନ୍ତ୍ରୀ ଏବେ ନୂଆଦିଲ୍ଲୀ ଗସ୍ତରେ ରହିଛନ୍ତି । ସେ ଶନିବାର ଫେରିବେ । ଏହାପରେ ସେ କୈଣସି ମୁହୁର୍ତ୍ତରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରିପାରନ୍ତି ବୋଲି ସୂଚନା ମିଳିଛି । ତେବେ ମନ୍ତ୍ରିମଣ୍ଡଳର ଚେହେରା ଆଞ୍ଚଳିକ ଭିତ୍ତିରେ ସ୍ଥାନ ପାଇବା ନା ମହିଳା କାର୍ଡକୁ ଗୁରୁତ୍ୱ ଦିଆଯିବ ତାହା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି ।