୩୬ ହଜାର ଶିକ୍ଷକଙ୍କ ଚାକିରି ଗଲା
କଲିକତା ହାଇକୋର୍ଟଙ୍କ ଫଇସଲା
କୋଲକତା, ୧୨ା୫: କଲିକତା ହାଇକୋର୍ଟ ଗୋଟିଏ ଆଦେଶରେ ୩୬ହଜାର ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଚାକିରି ରଦ୍ଦ କରିଦେଇଛନ୍ତି । ଉପଯୁକ୍ତ ତାଲିମ ନେଇନଥିବାରୁ ସେମାନେ ଜଷ୍ଟିସ୍ ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ପୀଠ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏକା ଥରକେ ଏତେ ଅଧିକ କର୍ମଚାରୀ ଛଟେଇ ହେବା ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଘଟଣା ।
ତେବେ ଏହାଦ୍ୱାରା ଶିକ୍ଷାନୁଷ୍ଠାନରେ ବଡ ଧରଣର ସଙ୍କଟ ସୃଷ୍ଟି ହେବା ଆଶଙ୍କା ଥିବାରୁ ହାଇକୋର୍ଟ ସେମାନଙ୍କ ଚାକିରି ମିଆଦ ୪ମାସ ବଢାଇ ଦେଇଛନ୍ତି । ଏଣିକି ସେମାନେ ପାରା-ଟିଚର ଭାବେ ବିବେଚିତ ହେବେ । ସେମାନଙ୍କ ବେତନ ଓ ଭତ୍ତା ସେହି ଅନୁସାରେ ସ୍ଥିରୀକୃତ ହେବେ ।
ଆସନ୍ତା ୩ ମାସ ଭିତରେ ନୂଆ ଶିକ୍ଷକ ନିଯୁକ୍ତ କରିବା ଲାଗି ପ୍ରାଥମିକ ଶିକ୍ଷା ବୋର୍ଡକୁ ନିଦେ୍ର୍ଦଶ ଦେଇଛନ୍ତି । ନୂଆ ନିଯୁକ୍ତି ବାବଦରେ ପ୍ରାୟ ୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଅର୍ଥ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କଠାରୁ ଆଦାୟ କରିବା ପାଇଁ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ଟିଏମ୍ସି ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ଘୋଟାଲାର ମୁଖ୍ୟ ଅଭିଯୁକ୍ତ । ଏବେ ସେ ଜେଲ୍ରେ ଅଛନ୍ତି । ଟିଇଟିରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ରେ ନିଯୁକ୍ତି ପାଇଥିବା ଅନ୍ୟ ୬୫୦୦ ପ୍ରାଥମିକ ଶିକ୍ଷକଙ୍କ ଚାକିରି କାଏମ ରହିବ ବୋଲି କୋର୍ଟ କହିଛନ୍ତି ।
ଅଯୋଗ୍ୟ ଘୋଷିତ ୩୬ ହଜାର ଶିକ୍ଷକଙ୍କୁ ୨୦୧୬ରେ ବୋର୍ଡ ନିଯୁକ୍ତି ଦେଇଥିଲା । ସେମାନେ ୨୦୧୬-୧୭ ଶିକ୍ଷାବର୍ଷରେ ଚାକିରିରେ ଯୋଗ ଦେଇଥିଲେ । ୨୦୧୪ ମସିହାର ଶିକ୍ଷକ ପାତ୍ରତା ପରୀକ୍ଷା (ଟିଇଟି) ନିୟମ ଉଲ୍ଲଘଂନ ପୂର୍ବକ ବୋର୍ଡ କର୍ତ୍ତୃପକ୍ଷ ଅର୍ଥ ବିନିମୟରେ ଏମାନଙ୍କୁ ଚାକିରି ଦେଇଥିଲେ ।