ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୧୨ା୫(ବୁ୍ୟରୋ): ସିବିଏସ୍ଇ ପକ୍ଷରୁ ଶୁକ୍ରବାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ରିଜଲ୍ଟ ବାହାରିଥିଲା । ଅପରାହ୍ନରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ମୋଟ ପିଲାଙ୍କ ମଧ୍ୟରୁ ୯୩.୧୨% ଶିକ୍ଷାର୍ଥୀ ପାସ୍ କରିଛନ୍ତି ।
ଚଳିତ ବର୍ଷ ମୋଟ ୨୧,୮୪,୧୧୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୧,୬୫,୮୦୫ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ୨୦,୧୬,୭୭୯ ଜଣ ପାସ୍ କରିଛନ୍ତି । ସବୁଥର ଭଳି ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୪.୨୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୨.୨୭% ଓ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାସ୍ ହାର ୯୦% ରହିଛି । ଏହାର ଅର୍ଥ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୧.୨୮% ଅଧିକ । ମୋଟ ୧,୯୫,୭୯୯ ଜଣ ପିଲା ୯୦%ରୁ ଅଧିକ ମାର୍କ ରଖିଛନ୍ତି । ଏହା ମୋଟ ଶିକ୍ଷାର୍ଥୀଙ୍କର ୯.୦୪% । ସେହିପରି ୪୪,୨୯୭ ଜଣ ପିଲା ୯୫%ରୁ ଅଧିକ ମାର୍କ ରଖିଛନ୍ତି । ଏହା ମୋଟ ଶିକ୍ଷାର୍ଥୀଙ୍କ ୨.୦୫% । ବିଦେଶରେ ରହି ପାଠ ପଢୁଥିବା ୨୫,୧୮୬ ଜଣ ପିଲା ଚଳିତ ବର୍ଷ ସିବିଏସ୍ଇ ୧୦ମ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୪,୬୬୭ ଜଣ ପାସ୍ କରିଛନ୍ତି । ତେବେ ୨୦୨୨ ତୁଳନାରେ ଏଥର ସିବିଏସ୍ଇ ୧୦ ପାସ୍ ହାର କମ ରହିଛି । ୨୦୨୨ରେ ପାସ୍ ହାର ୯୪.୦୪% ରହିଥିଲା । ୨୦୨୧ରେ ଏହା ୯୯.୦୪%, ୨୦୨୦ରେ ୯୧.୪୬% ଓ ୨୦୧୯ରେ ୯୧.୧୦% ରହିଥିଲେ ।
ରିଜିଅନ ଅନୁସାରେ ଦେଖିଲେ ଥିରୁଅନନ୍ତପୁରମରେ ପାସ୍ ହାର ସବୁଠାରୁ ଅଧିକ ୯୯.୯୧% ରହିଛି । ସବୁଠାରୁ ଖରାପ ପ୍ରଦର୍ଶନ ଗୌହାଟୀ ରିଜିଅନରେ ଦେଖିବାକୁ ମିଳିଛି । ଏଠାରେ ପାସ୍ ହାର ୭୬.୯୦% ରହିଛି ।
ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୩.୬୪%, ବେଙ୍ଗାଲୁରୁରେ ୯୯.୧୮%, ଚେନ୍ନାଇରେ ୯୯.୧୪%, ଆଜମେରରେ ୯୭.୨୭%, ପୁଣେରେ ୯୬.୯୨%, ପାଟନାରେ ୯୪.୫୭% ଓ ଚଣ୍ଡିଗଡ଼ ରିଜିଅନରେ ପାସ୍ ହାର ୯୩.୮୪% ରହିଛି । ଭୁବନେଶ୍ୱର ପାସ୍ ହାର ତାଲିକାର ୮ମ ସ୍ଥାନରେ ରହିଛି । ଗୌହାଟୀ ଶେଷ ବା ୧୬ନଂ ସ୍ଥାନରେ ଅଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *