ଆଜି ଗଣତି, ସନ୍ଧ୍ୟାରେ ଫଳ
ଝାରସୁଗୁଡ଼ା ଉପନିର୍ବାଚନ
ଭୁବନେଶ୍ୱର,୧୨ା୫(ବୁ୍ୟରୋ): ଝାରସୁଗୁଡା ଉପନିର୍ବାଚନର ମତଦାନ ଶନିବାର ଗଣନା କରାଯିବା ସହିତ ଫଳ ପ୍ରକାଶ ପାଇବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଝାରସୁଗୁଡା ଇଂଜିନିୟରିଂ ସ୍କୁଲରେ ମତଗଣନା କେନ୍ଦ୍ର ହୋଇଛି । ଶନିବାର ସକାଳ ୮ ରୁ ଭୋଟ ଗଣତି କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ ଗଣତି ପ୍ରକ୍ରିୟା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।
ଏ ସମ୍ପର୍କରେ ଶ୍ରୀ ଧଳ କହିଛନ୍ତି, ଶନିବାର ସକାଳ ୮ଟାରୁ ଭେଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣନା ହେବ । ସେହିପରି ୮ଟା ୩୦ରୁ ଇଭିଏମ୍ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ଟି କାଉଣ୍ଟିଂ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲଟ ଗଣନା ହେବ । ୨୫୩ ବୁଥ୍ ଥିବାରୁ ୧୯ ରାଉଣ୍ଡ ଗଣନା ହେବ । ସନ୍ଧ୍ୟା ୪ ଟାରୁ ୬ଟା ଭିତରେ ଫଳାଫଳ ଆସିଯାଇପାରେ । ମତ ଗଣନା ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର ଓ ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ ।
ରାଉଣ୍ଡୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ ।
ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । ଡବ୍ଲୁ୍ୟ ଡବ୍ଲୁ୍ୟ ଡବ୍ଲୁ୍ୟ ଡଟ୍ ଇସିଆଇ ଡଟ୍ ଗଭ ଡଟ୍ ଇନ୍ କୁ ଲଗଇନ କରି ରାଉଣ୍ଡ ୱାରୀ ଫଳାଫଳ ଜାଣି ହେବ । ସେହିପରି ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଝାରସୁଗୁଡା ଉପନିର୍ବାଚନ ଲାଗି ଗତ ୧୦ ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।