ଗୁଜରାଟକୁ ହରାଇଲା ମୁମ୍ବାଇ

ଆଇପିଏଲ୍-୧୬ । ୫୭ତମ ମ୍ୟାଚ୍
ମୁମ୍ବାଇ, ୧୨ା୫ (ଏଜେନ୍ସି): ସୂର୍ଯ୍ୟକୁମାରଙ୍କ ଆଇପିଏଲ୍ କ୍ୟାରିଅରର ପ୍ରଥମ ଶତକ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଚଳିତ ସିଜନ୍ର ୫୭ତମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୨୭ ରନ୍ରେ ପରାସ୍ତ କରିଛି ।
୨୧୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଗୁଜରାଟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୯୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ରଶିଦ୍ ଖାନ୍ ୩୨ ବଲ୍ରୁ ସର୍ବାଧିକ ୭୯ ରନ୍ କରି ଅପରାଜିତ ଥିଲେ ।
ଟିମ୍ ପ୍ରଥମରୁ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୫୫ ରନ୍ ମଧ୍ୟରେ ଅଧା ଖେଳାଳିଙ୍କୁ ହରାଇଥିଲା । ୧୨ ରନ୍ ମଧ୍ୟରେ ରିଦ୍ଧିମାନ ସାହା (୨) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୪) ଯଥାକ୍ରମେ ଆକାଶ ମାଧୱାଲ ଓ ଜାସନ୍ ବେହରେନ୍ଡର୍ଫଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅନ୍ୟତମ ଓପନର୍ ଶୁଭମନ ଗିଲ୍ (୬)ଙ୍କ ୱିକେଟ୍ ମାଧୱାଲଙ୍କ ଖାତାକୁ ଯାଇଥିଲା ।
ବିଜୟ ଶଙ୍କର (୨୯) ଚତୁର୍ଥ ବ୍ୟାଟର୍ ଭାବେ ପୀୟୂଷ ଚାୱଲାଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଅଭିନବ ମନୋହର (୨) କୁମାର କାର୍ତ୍ତିକେୟଙ୍କ ଶିକାର ହୋଇଥିଲେ । ଏହାପରେ ଡେଭିଡ୍ ମିଲର୍ ନୂଆ ବ୍ୟାଟର୍ ରାହୁଲ ତେୱାଟିଆଙ୍କ ସହ ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ ।
ଏହା ପୂର୍ବରୁ ଗୁଜରାଟ ଟାଇଟନ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଥିଲା । ସୂର୍ଯ୍ୟକୁମାର ଯାଦବ ମାତ୍ର ୪୯ ବଲ୍ରୁ ୧୧ ଚୌକା ଓ ୬ ଛକା ସହାୟତାରେ ୧୦୩ ରନ୍ର ଅପରାଜିତ ଇନିଂସ୍ ଖେଳିଥିଲେ । ବିପକ୍ଷ ବୋଲର୍ ରଶିଦ୍ ଖାନ୍ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ମୋହିତ ଶର୍ମାଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ରଶିଦଙ୍କ ଛଡ଼ା ଆଉ କାହା ପ୍ରଦର୍ଶନ ଆଶାଜନକ ନ ଥିଲା ।
ଆଇପିଏଲ୍ରେ ସୂର୍ଯ୍ୟକୁମାରଙ୍କ ଏହା ପ୍ରଥମ ଶତକ ଥିଲା । ଚଳିତ ସିଜନ୍ରେ ଟୁର୍ଣ୍ଣାମେଣ୍ଟର ଏହା ଚତୁର୍ଥ ଶତକ । ଏହା ପୂର୍ବରୁ ହାଇଦରାବାଦର ହାରୀ ବ୍ରୁକ୍, ରାଜସ୍ଥାନର ଯଶସ୍ୱୀ ଜୟସ୍ୱାଲ ଓ କୋଲକାତାର ଭେଙ୍କଟେଶ ଆୟର ସିଜନ୍ରେ ଶତକ ଲଗାଇ ସାରିଛନ୍ତି ।
ମୁମ୍ବାଇ ଟିମ୍ର ଈଶାନ କିଶନ୍ ଓ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ୩୭ ବଲ୍ରୁ ୬୧ ରନ୍ର ଭାଗୀଦାରୀ କରିଥିଲେ । ରୋହିତ ୨୯ ଓ ଈଶାନ ୩୧ ରନ୍ କରି ଯଥାକ୍ରମେ ରଶିଦ ଖାନ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ନେହାଲ ୱାଧେରା (୧୫) ରଶିଦଙ୍କ ତୃତୀୟ ଶିକାର ହୋଇଥିଲେ ।
ଏହାପରେ ସୂର୍ଯ୍ୟକୁମାର ଯାଦବ ନୂଆ ବ୍ୟାଟର୍ ବିଷ୍ଣୁ ବିନୋଦଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ ୪୨ ବଲ୍ରୁ ୬୫ ରନ୍ ଯୋଗ କରିଥିଲେ । ବିନୋଦ ୩୦ ରନ୍ କରି ମୋହିତ ଶର୍ମାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହା ପର (୧୭ତମ) ଓଭର୍ରେ ଟିମ୍ ଡେଭିଡ୍ ୫ ରନ୍ କରି ରଶିଦଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଅନ୍ୟପଟେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ତାଙ୍କ ପ୍ରୟାସ ଯୋଗୁଁ ଟିମ୍ର ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ସେ ୪୯ ବଲ୍ରୁ ଶତକ ପୂରଣ କରିଥିଲେ । ତାଙ୍କ ସହ କାମେରନ୍ ଗ୍ରୀନ୍ (୩) ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *