ତୃତୀୟ ସାମ୍ମୁଖ୍ୟରେ ନାହୁଁ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୫(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଗୁରୁବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ସେଠାରେ ନରେନ୍ଦ୍ର ମୋଦୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ବେଳେ ରାଜ୍ୟର ସ୍ୱାର୍ଥ ସମ୍ବଳିତ କେତେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଜାତୀୟ ରାଜନୈତିକ ଦୃଶ୍ୟପଟରେ ତୃତୀୟ ସାମ୍ମୁଖ ଗଠନ ପାଇଁ ଯେଉଁ ଚର୍ଚ୍ଚା ହେଉଛି ତାହାର ଆଶା କ୍ଷୀଣ । ବିଜେଡି କିନ୍ତୁ ସମଦୂରତା ନୀତିକୁ ବିଶ୍ୱାସ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଦାବି ଉପସ୍ଥାପନ କରାଯାଇଛି । ଭୁବନେଶ୍ୱରରେ ଏୟାର ଟ୍ରାଫିକ୍ ଜାମ୍ ଯୋଗୁଁ ପୁରୀରେ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିମାନ ବନ୍ଦରର ସୀମା ନିର୍ଦ୍ଧାରଣ କାମ ସରିଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ସେହିପରି ଅଧାପନ୍ତରିଆ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା, ଭାରତମାଳା ଫେଜ୍-୨ରେ ଓଡିÿଶାକୁ ସାମିଲ କରିବା ଏବଂ ପଞ୍ଚାୟତଗୁଡିକରେ ବ୍ୟାଙ୍କିଙ୍ଗ୍ ସୁବିଧା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଏ ନେଇ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇଛି କି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସକ୍ଷିପ୍ତ ଉତ୍ତର ରଖି କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ସେହିପରି ତୃତୀୟ ସାମ୍ମୁଖ୍ୟ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରତିନିଧିମାନେ ପଚାରିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତ୍ତମାନ ତୃତୀୟ ସାମ୍ମୁଖ୍ୟ ଗଠନର ସମ୍ଭାବନା ନାହିଁ ବୋଲି ସେ ଅନୁଭବ କରୁଛନ୍ତି । ବିଜେଡି କିନ୍ତୁ ସମଦୂରତା ନୀତିରେ ବିଶ୍ୱାସ କରୁଛି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ କି, ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ନିବାସ ଆସିଥିଲେ । ବିଜେପି ବିରୋଧୀ ମେଣ୍ଟ ଗଠନ ପ୍ରୟାସରେ ଥିବା ନୀତୀଶ ନବୀନଙ୍କୁ ମନାଇବା ଲାଗି ଆସିଥିବା ଚର୍ଚ୍ଚା ହେଉଥିଲା । ଉଭୟ ମୁଖ୍ୟମନ୍ତ୍ରୀ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା କରିଥିଲେ ମଧ୍ୟ କୌଣସି ରାଜନୈତିକ ଆଲୋଚନାକୁ ସେମାନେ ଆଡେଇ ଦେଇଥିଲେ । ବୁଧବାର ନବୀନ ଦିଲ୍ଲୀ ଗସ୍ତ କରି ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ସହ ଭେଟିଥିଲେ । ଏହି ସାକ୍ଷାତକୁ ନେଇ ଜାତୀୟ ରାଜନୀତିରେ ତୃତୀୟ ସାମ୍ମୁଖ୍ୟ ଗଠନ ଚର୍ଚ୍ଚାକୁ ଖୋରକ୍ ଯୋଗାଇଥିଲା ।