ପେଟ୍ରୋଲ ୩ଠଠ, ପରିବା ଦର ଦ୍ୱିଗୁଣ

ମଣିପୁରରେ ହିଂସାର ପ୍ରଭାବ
ଇମ୍ପାଲ (ଏଜେନ୍ସି): ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପ୍ରାୟ ଏକ ସପ୍ତାହ ହେଲା ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ମହଙ୍ଗା ମାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି । ଇମ୍ଫାଲରେ ପେଟ୍ରୋଲ ଲିଟର ୩୦୦ ଟଙ୍କା ଛୁଇଁଛି । ସେହିପରି ସପ୍ତାହକ ମଧ୍ୟରେ ବିଭିନ୍ନ ପରିବା ଦାମ ୨ ଗୁଣ ବଢ଼ିଛି । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ସୂଚନା ଅନୁଯାୟୀ, ମେ’ ୩ରୁ ମଣିପୁରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ଅତ୍ୟାବଶ୍ୟକ ସାମଗ୍ରୀ ବଜାରରୁ ଉଭାନ ହୋଇଯାଇଥିଲା । ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଥିଲେ ହେଁ ଦରଦାମ ବୃଦ୍ଦି ପାଇବାରେ ଲାଗିଛି । ହିଂସାକୁ ଦୃଷ୍ଟିରେ ରଖି କଳାବଜାରୀ ମଧ୍ୟ ବଢ଼ିବାରେ ଲାଗିଛି । ପେଟ୍ରୋଲ ଲିଟର ୨୭୦ରୁ ୩୦୦ ଟଙ୍କା ଏବଂ ଡିଜେଲର ଲିଟର ୧୫୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି ।
ହିଂସା ଦ୍ୱାରା ପ୍ରଭାବିତ ହୋଇ ନଥିବା ଜିଲ୍ଲାଗୁଡ଼ିକରେ ସରକାର କିଛି ଘଣ୍ଟା ପାଇଁ କର୍ଫୁ୍ୟ କୋହଳ କରିବାରୁ ଜିନିଷ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ହେଉଛି । ପଶ୍ଚିମ ଇମ୍ଫାଲ ଅଧିକ ଜନାକୀର୍ଣ୍ଣ ହୋଇଥିବାରୁ ସରକାର ଏଠାରେ ଭୋର ୫ ଟାରୁ ଦିନ ୧୧ଟା ଯାଏ କର୍ଫୁ୍ୟ କୋହଳ କରିଛନ୍ତି । କଟକରା କୋହଳ ହେବା ପରେ ଲୋକମାନେ ପେଟ୍ରୋଲ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି । ପ୍ରବଳ ଖରା ହେଉଥିବା ବେଳେ ଲୋକଙ୍କୁ ତେଲ ପାଇଁ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି ।
ଏହା ବ୍ୟତୀତ ଖାଇବା ତେଲ, ଡାଲି, ପରିବା, ଫଳ, ମାଛ ଓ ମାଂସର ଦାମ ମଧ୍ୟ ଦୁଇ ଗୁଣା ହୋଇଯାଇଛି । ମୂଳାର ଦାମ ହିଂସା ପୂର୍ବରୁ ୯୦ ଟଙ୍କା ଥିବା ବେଳେ ଏବେ ଏହା ୧୮୦ ଟଙ୍କାରେ ପହଞ୍ଚିଛି । ଭେଣ୍ଡି ଓ କାକୁଡ଼ିର କେଜି ଦାମ ଯଥାକ୍ରମେ ୧୦୦ ଓ ୯୦ ଟଙ୍କା ରହିଛି । ଦୋକାନୀ ମନଇଚ୍ଛା ଦାମ ବୃଦ୍ଧି କରୁଥିବାରୁ ଏହାକୁ ରୋକିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *