ଆଉ ପାଞ୍ଚ ଦିନ ହିଟ୍ୱେଭ୍ ୱାର୍ଣ୍ଣିଂ
ଭୁବନେଶ୍ୱର,୧୧ା୫(ବୁ୍ୟରୋ): ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧି ଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ଆଶଙ୍କା ଅଛି । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ନିଦେ୍ର୍ଦଶ ଦେଇଛନ୍ତି ।
ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍ଷ୍ଟାଣ୍ଡ ଓ ଜନଗହଳି ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ । ଏତଦ୍ବ୍ୟତୀତ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରାଯିବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆର୍ଏସ୍ ମହଜୁଦ୍ ରଖିବା ନିମନ୍ତେ ନଦେ୍ର୍ଦଶ ଦିଆଯାଇଛି ।
ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ଜୀବନରକ୍ଷକ ଔଷଧ, ସାଲାଇନ୍ ଓ ଓଆର୍ଏସ୍ ମହଜୁଦ୍ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତର ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍ର ବ୍ୟବସ୍ଥା ହେବ । ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏତଦ୍ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖାଯିବ । ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡ ବ୍ୟବସ୍ଥା ନିମନ୍ତେ ନିଦେ୍ର୍ଦଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦୁ୍ୟତ ସରବରାହ ଠିକ୍ ଭାବେ କାର୍ଯ୍ୟ କରିବା ପାଇଁ କୁହାଯାଇଛି ।
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଛି ତତଲା ତାୱାରେ ଭାଜି ହେଉଛି । ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଗୁରୁବାର ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ସହିଥିବା ବେଳେ ବୌଦ୍ଧ ଓ ଝାରସୁଗୁଡା ରେ ପାରଦ ୪୩.୪ ଡିଗ୍ରୀ ଛୁଁବା ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲିଟିନ୍ ଅନୁଯାୟୀ ଗୁରୁବାର ମଧ୍ୟାହ୍ନ ୨ ଟା ୩୦ ସୁଦ୍ଧା ରାଜ୍ୟର ୧୬ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ବୌଦ୍ଧ ଓ ଜାରସୁଗୁଡାର ସର୍ବୋଚ୍ଚ ତାପମାତ୍ରା ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୩.୩, ହୀରାକୁଦରେ ୪୨.୩, ସୁନ୍ଦରଗଡରେ ୪୨.୧, ରାଉରକେଲାରେ ୪୨, ଅନୁଗୁଳରେ ୪୧.୭, ସୋନପୁରରେ ୪୧.୩, ବଲାଙ୍ଗିରରେ ୪୧.୨, ଟିଟିଲାଗଡରେ , ତାଲଚେର ଓ ନୁଆପଡାରେ ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବାରିପଦାରେ ୪୦.୬, ବରଗଡ, ନୟାଗଡରେ ୪୦.୨, ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । କଟର ତାପମାତ୍ରା ୩୮.୫ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୭.୭ ଡିଗ୍ରୀ ରହିଥିଲା ।