ରାଜସ୍ଥାନର ଏକତରଫା ବିଜୟ
ଆଇପିଏଲ୍-୧୬ । ୫୬ତମ ମ୍ୟାଚ୍
କୋଲକାତା, ୧୧ା୫ (ଏଜେନ୍ସି): ଯୁଜବେନ୍ଦ୍ର ଚହଲଙ୍କ ଯାଦୁକରୀ ବୋଲିଂ ଓ ଯଶସ୍ୱୀ ଜୟସ୍ୱାଲଙ୍କ ବିସ୍ଫୋରକ ଇନିଂସ୍ ସହାୟତାରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଚଳିତ ଆଇପିଏଲ୍ର ୫୬ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍ରେ ପରାସ୍ତ କରିଛି । ରାଜସ୍ଥାନ ୪୧ ବଲ୍ ବାକି ଥାଇ ମ୍ୟାଚ୍ ଜିତିଥିଲା । ଟିମ୍ର ଏହା ୧୨ ମ୍ୟାଚ୍ରୁ ଷଷ୍ଠ ବିଜୟ, ଅନ୍ୟପଟେ କେକେଆର୍ର ସମାନ ସଂଖ୍ୟକ ମ୍ୟାଚ୍ରୁ ସପ୍ତମ ପରାଜୟ ।
ରାଜସ୍ଥାନ ଟିମ୍ ୧୩.୧ ଓଭର୍ରେ ୧ ୱିକେଟ୍ ହରାଇ ୧୫୧ ରନ୍ କରି ବିଜୟୀ ହୋଇଥିଲା । ଯଶସ୍ୱୀ ଓ ଜୋସ୍ ବଟ୍ଲର୍ଙ୍କ ଯୋଡ଼ି ୩୦ ରନ୍ରେ ଭାଙ୍ଗିଥିଲା । ତେବେ ବଟ୍ଲର୍ ଖାତା ଖୋଲି ନ ପାରି ରନ୍ଆଉଟ୍ ହୋଇଥିଲେ । ଏହାପରେ ଯଶସ୍ୱୀ ଓ ଅଧିନାୟକ ସଞ୍ଜୁ ସାମ୍ସନ୍ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୯ ବଲ୍ରୁ ୧୨୧ ରନ୍ର ଧୂଆଁଦାର ଭାଗୀଦାରୀ କରିଥିଲେ ।
ଯଶସ୍ୱୀ ମାତ୍ର ୧୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ଆଇପିଏଲ୍ ଇତିହାସର ଦ୍ରୁତତମ ଅର୍ଦ୍ଧଶତକ । ଏହା ପୂର୍ବରୁ ୧୪ ବଲ୍ରୁ ଅର୍ଦ୍ଧଶତକର ରେକର୍ଡ ଲୋକେଶ ରାହୁଲ ଓ ପାଟ୍ କମିନ୍ସଙ୍କ ନାମରେ ଥିଲା । ଯଶସ୍ୱୀ ୪୭ ବଲ୍ରୁ ୧୨ ଚୌକା ଓ ୫ ଛକା ସହାୟତାରେ ୯୮ ଏବଂ ସଞ୍ଜୁ ୨୯ ବଲ୍ରୁ ୨ ଚୌକା ଓ ୫ ଛକା ସହାୟତାରେ ୪୮ ରନ୍ କରି ଅପରାଜିତ ଥିଲେ ।
ଇଡେନ୍ ଗାର୍ଡେନ୍ସ ଗ୍ରାଉଣ୍ଡରେ ରାଜସ୍ଥାନ ଟିମ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ରେ ଓବେଡ୍ ମ୍ୟାକୟଙ୍କ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ ଓ ମୁରୁଗନ୍ ଅଶ୍ୱିନଙ୍କ ସ୍ଥାନରେ କେଏମ୍ ଆସିଫ୍ଙ୍କୁ ସାମିଲ କରାଯାଇଥିଲା । କୋଲକାତା ଏକାଦଶରେ ବି ଗୋଟିଏ ପରିବର୍ତ୍ତନ ହୋଇଥିଲା । ପେସର୍ ବୈଭବ ଆରୋରାଙ୍କ ସ୍ଥାନରେ ଅନୁକୂଳ ରାୟ ପ୍ରତ୍ୟାବର୍ତ୍ତନ କରିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଭେଙ୍କଟେଶ ଆୟର ସର୍ବାଧିକ ୫୭ ରନ୍ର ଇନିଂସ୍ ଖେଳିଥିଲେ । ବିପକ୍ଷ ବୋଲର୍ ଯୁଜବେନ୍ଦ୍ର ଚହଲ ୨୫ ରନ୍ ଦେଇ ୪, ଟ୍ରେଣ୍ଟ ବୋଲ୍ଟ ୨ ଏବଂ ସନ୍ଦୀପ ଶର୍ମା ଓ ଆସିଫ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
କୋଲକାତାର ଦୁଇ ଓପନର୍ – ଜାସନ ରୟ ଓ ରହମନୁଲ୍ଲା ଗୁରବାଜ୍ ଟିମ୍କୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ । ରୟ (୧୦) ଓ ଗୁରବାଜ୍ (୧୮) ଉଭୟଙ୍କୁ ବୋଲ୍ଟ ପାଭିଲିଅନ୍ ପଠାଇଥିଲେ । ୨୯ ରନ୍ ମଧ୍ୟରେ ଏହି ଦୁଇ ୱିକେଟ୍ ପଡ଼ିବା ପରେ ଭେଙ୍କଟେଶ ଆୟର ଅଧିନାୟକ ନୀତୀଶ ରାଣା ମିଶି ତୃତୀୟ ୱିକେଟ୍ ପାଇଁ ୩୭ ବଲ୍ରୁ ୪୮ ରନ୍ ଯୋଗ କରି ସ୍ଥିତିରେ ସୁଧାର ଆଣିଥିଲେ । ରାଣା (୨୨)ଙ୍କୁ ଆଉଟ୍ କରି ଯୁଜବେନ୍ଦ୍ର ଚହଲ ଏହି ଯୋଡ଼ି ଭାଙ୍ଗିଥିଲେ ।
ପରବର୍ତ୍ତୀ ବ୍ୟାଟର୍ ଆନେ୍ଦ୍ର ରସେଲ୍ ୧୦ ରନ୍ କରି ଆସିଫ୍ଙ୍କ ଶିକାର ହୋଇଥିଲେ । ଏହାପରେ ଆୟରଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ରିଙ୍କୁ ସିଂହ । ଇତ୍ୟବସରେ ଆୟର ୪୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ଏହାପରେ ସେ ଆଉ ବେଶୀ ବାଟ ଯାଇ ନ ଥିଲେ ଏବଂ ବ୍ୟକ୍ତିଗତ ୫୭ (୪୨ ବଲ୍ରୁ ୨ ଚୌକା ଓ ୪ ଛକା ସହାୟତାରେ) ରନ୍ରେ ଚହଲଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ନୂଆ ବ୍ୟାଟର୍ ଶାର୍ଦ୍ଦୂଳ ଠାକୁର (୧) ମଧ୍ୟ ଚହଲ ଜାଲରେ ପଡ଼ିଥିଲେ ।
ରିଙ୍କୁ ସିଂହ (୧୬)ଙ୍କୁ ଆଉଟ୍ କରି ଚହଲ ଚତୁର୍ଥ ସଫଳତା ହାସଲ କରିଥିଲେ । ଶେଷ ଓଭର୍ର ଶେଷ ବଲ୍ରେ ସୁନୀଲ ନରିନ୍ ୬ ରନ୍ କରି ସନ୍ଦୀପଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅନୁକୁଳ ୬ ରନ୍ କରି ଅପରାଜିତ ଥିଲେ ।