ଝୁଲା ବିଧାନସଭା!
ଜେଡିଏସ୍ ହୋଇପାରେ କିଙ୍ଗ୍ମେକର୍
କଂଗ୍ରେସ-ବିଜେପି କଡ଼ା ଟକ୍କର
ବେଙ୍ଗଲୁରୁ, ୧ଠା୫: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବୁଧବାର ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୫.୫୯ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ଗତଥର ୭୨ ପ୍ରତିଶତ ମତଦାନ ହୋଇଥିବା । ୧୩ ତାରିଖ ଦିନ ଭୋଟ୍ ଫଳ ଜଣାପଡିବ । ତା’ପୂର୍ବରୁ ବୁଧବାର ବିଭିନ୍ନ ଏଗ୍ଜିଟ୍ ପୋଲ୍ ରିପୋର୍ଟ ଆସିଯାଇଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୩ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆକଳନ ଲାଗି ସର୍ବମୋଟ୍ ୧୦ଟି ଏଜେନ୍ସି ବୁଥ୍ ଫେରନ୍ତା ମତ ସଂଗ୍ରହ କରିଛନ୍ତି । ୪ଟି ଏଜେନ୍ସିର ରିପୋର୍ଟରେ କଂଗ୍ରେସକୁ ଏବଂ ୨ଟିରେ ବିଜେପିକୁ ସଂଖ୍ୟାଗରିଷ୍ଠ ଦଳଭାବେ ଉପସ୍ଥାପନ କରାଯାଇଥିବାବେଳେ ୫ଟି ଏଜେନ୍ସି ଗତଥର ଭଳି ଏଥର ମଧ୍ୟ ଝୁଲା ବିଧାନସଭା ଗଠିତ ହେବ ବୋଲି ଆକଳନ କରାଯାଇଛି । ଏଭଳି ସ୍ଥିତିରେ ଜେଡିଏସ୍ କିଙ୍ଗ୍ ମେକର ହୋଇପାରେ ।
ସି-ଭୋଟର, ଲୋକନୀତି-ସିଏସ୍ଡିଏସ୍, ଆକ୍ସିସ୍ ମାଇଁ ଇଣ୍ଡିଆ ଓ ଟୁଡେସ୍ ଚାଣକ୍ୟ ଭଳି ପ୍ରମୁଖ ଏଜେନ୍ସିମାନଙ୍କ ଏଗ୍ଜିଟ୍ ପୋଲ୍ ରିପୋର୍ଟରେ ଏଥର କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଆକଳନ କରାଯାଇଛି । ତେଣୁ ଜେଡିଏସ୍ ୨୦୧୭ ଭଳି ଏଥର ମଧ୍ୟ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନିଭାଇବ । ୨୦୧୭ରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିଲା । କଂଗ୍ରେସ ଓ ଜେଡିଏସ୍ ମିଳିତ ସରକାର ଗଢିଥିଲେ । କିନ୍ତୁ ଦୁଇ ବର୍ଷ ପରେ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା ।
ଟିଭି-୯ ଭାରତବର୍ଷ-ପୋଲ୍ଷ୍ଟାଟ୍ର ସର୍ଭେ ଅନୁଯାୟୀ କର୍ଣ୍ଣାଟକରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା (୯୯-୧୦୯ ଆସନ) ମିଳିପାରେ । ବିଜେପି ଖାତାକୁ ୮୮ ରୁ ୯୮ ଏବଂ ଜେଡିଏସ୍ ଖାତାକୁ ୨୧-୨୬ ଆସନ ଯାଇପାରେ ବୋଲି କୁହାଯାଇଛି । ଅନ୍ୟ ଦୁଇଟି ଏଜେନ୍ସି କଂଗ୍ରେସ ସବୁଠୁ ବଡ ଦଳ ରୂପେ ଉଭା ହେବ ବୋଲି ରିପୋର୍ଟ ଦେଇଛନ୍ତି ।
ଏବିପି ସି-ଭୋଟର ଏଗ୍ଜିଟ୍ ପୋଲ୍ ଅନୁଯାୟୀ କଂଗ୍ରେସକୁ ୧୦୦-୧୧୨, ବିଜେପିକୁ ୮୩-୯୫ ଓ ଜେଡିଏସ୍କୁ ୨୧-୨୯ ଆସନ ମିଳିପାରେ । ଜି ନୁ୍ୟଜ୍ ମାଟ୍ରିଜ୍ ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବ । କଂଗ୍ରେସ ୧୦୩-୧୧୮, ବିଜେପି ୭୯-୯୪ ଓ ଜେଡିଏସ୍ ୨୫-୩୩ ଆସନରେ ବିଜୟୀ ହେବ ବୋଲି ଏଥିରେ ଦର୍ଶାଯାଇଛି । ଟାଇମ୍ସ ନାଓ ଏଗ୍ଜିଟ୍ ପୋଲ୍ ରିପୋର୍ଟରେ ବିଜେପି ୭୮-୯୨ ଆସନରେ ସୀମିତ ରହିବା ସ୍ଥଳେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବ ବୋଲି କୁହାଯାଇଛି ।
ଅପରପକ୍ଷେ ନୁ୍ୟଜ୍ ନେସନ୍-ସିଜିଏସ୍ ଓ ଏସିଆନେଟ୍ ନୁ୍ୟଜ୍-ଜନ୍ କୀ ବାତ୍ ପକ୍ଷରୁ ହୋଇଥିବା ଏଗ୍ଜିଟ୍ ପୋଲ୍ ରିପୋର୍ଟରେ ବିଜେପି ସରକାର ଗଢିବ ବୋଲି ଦର୍ଶାଯାଇଛି । ନୁ୍ୟଜ୍ ନେସନ୍-ସିଜିଏସ୍ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବିଜେପିକୁ ୧୧୪, କଂଗ୍ରେସକୁ ୮୬, ଜେଡିଏସ୍କୁ ୨୧ ଓ ଅନ୍ୟାନ୍ୟ ଦଳଙ୍କୁ ୩ଟି ଆସନ ମିଳିବ ବୋଲି ଦର୍ଶାଯାଇଛି । ସେହିପରି ଏସିଆନେଟ୍ ନୁ୍ୟଜ୍-ଜନ୍ କି ବାତ୍ ରିପୋର୍ଟରେ ବିଜେପିକୁ ୯୪-୧୧୭, କଂଗ୍ରେସକୁ ୯୧-୧୦୬, ଜେଡିଏସ୍କୁ ୧୪-୨୪ ଏବଂ ଅନ୍ୟାନ୍ୟ ଦଳଙ୍କୁ ୦-୨ ଆସନ ମିଳିପାରେ ବୋଲି କୁହାଯାଇଛି । ଇଣ୍ଡିଆ ଟିଭି ସିଏନ୍ଏକ୍ସ ରିପୋର୍ଟରେ କଂଗ୍ରେସ ୧୧୦-୧୨୦, ବିଜେପି ୮୦-୯୦ ଓ ଜେଡିଏସ୍ ୨୦-୨୪ ଆସନ ପାଇବା ଆକଳନ କରାଯାଇଛି ।