୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍
ଝାରସୁଗୁଡ଼ା ଉପନିର୍ବାଚନରେ ୭୫.୬୦% ଭୋଟିଂ
ଭୁବନେଶ୍ୱର,୧୦ା୫(ବୁ୍ୟରୋ): ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସରିଲା ଝାରସୁଗୁଡ଼ା ଉପନିର୍ବାଚନ । ଇଭିଏମ୍ରେ ସିଲ୍ ହେଲା ୯ ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୭ଟା ସୁଦ୍ଧା ୭୫.୬୦% ମତଦାନ ହୋଇଥିବା ଜଣାପଡିଛି । ତେବେ ମତଦାନ କେନ୍ଦ୍ର ଗୁଡ଼ିକରେ ଆହୁରି ହଜାର ହଜାର ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବାକୁ ଆପେକ୍ଷା କରିଥିବାରୁ ଏହି ହାର ଆହୁରି ବଢ଼ିବ ବୋଲି ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଉପନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୧ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଥବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୭୪ ହଜାର ୮ ଜଣ ପୁରୁଷ ଭୋଟ୍ ଦେଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭୭ ହଜାର ୨୦ ରହିଛି । ମତଦାନ ପରେ ରାତିରେ କଡ଼ା ସୁରକ୍ଷା ବଳୟରେ ସମସ୍ତ ଇଭିଏମ୍ ଝାରସୁଗୁଡ଼ାସ୍ଥିତ ଇଞ୍ଜିନିୟରିଂ କଲେଜରେ ସୁରକ୍ଷିତ ରଖାଯାଇଛି । ଷ୍ଟ୍ରଙ୍ଗ୍ରୁମ୍ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ କିଶୋର ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୧୯୭ଟି ସ୍ଥାନରେ ୨୫୩ ବୁଥ୍ରେ ଭୋଟ୍ ଗ୍ରହଣ କରାଯାଇଥିଲା । ମକ୍ ପୋଲ ପରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୂଆ ଭୋଟରଙ୍କୁ ଫୁଲ ଚନ୍ଦନ ଓ ପୂର୍ଣ୍ଣକୁମ୍ଭ ଥୋଇ ମିଶନ ଶକ୍ତି ମହିଳା ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଅଧିକାଂଶ ବୁଥ୍ରେ ବୟସ୍କଙ୍କୁ ମୁଣ୍ଡିଆ ମାରି ଗୋଲାପ ଫୁଲ ମଧ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ନୂଆ ଅନୁଭୂତିକୁ ଅନୁଭବ କରିବା ପରେ ଭୋଟରମାନେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ ।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ କରିଥିଲା ବ୍ୟାପକ ବ୍ୟବସ୍ଥା । ଖରାକୁ ଦୃଷ୍ଟିରେ ରଖି ସବୁ ବୁଥ୍ରେ ଥଣ୍ଡା ପାନୀୟ, ଦହି, ଲସି ଏବଂ ଲେମ୍ବୁପାଣିର ବ୍ୟବସ୍ଥା କରାଯାଇଥିଲା । ମତଦାନରେ ଯେମିତି କୌଣସି ଅସୁବିଧା ନ ହୁଏ ସେ ନେଇ ନିଜେ ଜିଲ୍ଲାପାଳ ଓ ଏସ୍ପି ବିଭିନ୍ନ ବୁଥ୍କୁ ମାରାଥନ ଗସ୍ତ କରିଥିଲେ । ଯେଉଁ ବୁଥ୍ରେ ଅଭିଯୋଗ ଆସୁଥିଲା ତାହାର ତୁରନ୍ତ ସମାଧାନ ହୋଇଥିଲା । ଏସ୍ପିଙ୍କ ସମେତ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ବୁଲି ବୁଲି ସମୀକ୍ଷା କରିଥିଲେ । ବିଗତ ନିର୍ବାଚନ ଅପେକ୍ଷା ଏହି ଉପନିର୍ବାଚନରେ ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥା ଦେଖି ନୂଆ ଅନୁଭୂତି ସାଉଁଟିବା ସହ ପ୍ରଶାସନକୁ ପ୍ରଶଂସା କରିଥିଲେ । ମତଦାନ ସରିବା ପରେ ଇଭିଏମ୍ଗୁଡିକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ୨୪ ଘଣ୍ଟିଆ ସିସିଟିଭି ସହିତ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ ନିୟୋଜିତ କରାଯାଇଛି । ଆସନ୍ତା ୧୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ।