ବାତ୍ୟା ରୂପ ଧାରଣ କଲା ଅବପାତ
ଭୁବନେଶ୍ୱର,୧୦ା୫(ବୁ୍ୟରୋ): ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଅବପାତ ବୁଧବାର ସନ୍ଧ୍ୟାରେ ବାତ୍ୟାର ରୂପ ଧାରଣ କରିଛି । ଏହା କ୍ରମଶଃ ଘନୀଭୂତ ହୋଇ ଗୁରୁବାର ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବା ପରେ ମଧ୍ୟରାତ୍ରି ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିପାରେ । ଏହାର ଗତି ଉତ୍ତର, ଉତ୍ତର-ପଶ୍ଚିମ ଦିଗ ବାଲାଂଦେଶ ଓ ମିଆଁମାର ମୁହାଁ ହୋଇ ଗତି କରିବ । ଆସନ୍ତା ୧୪ ତାରିଖ ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁବ । କୋକ୍ସ ବଜାର ଓ କ୍ୟାଉକିପିୟୁ ଉପକୂଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ଆଇଏମ୍ଡି ଡିଜି କହିଛନ୍ତି, ଗତକାଲି ରାତି ସାଢେ ୧୨ଟା ସୁଦ୍ଧା ଏହା ପଶ୍ଚିମ ପୋର୍ଟ ବ୍ଲେୟାରର ପ୍ରାୟ ୫୧୦ କିମି ଏବଂ ଦକ୍ଷିଣ ପଣ୍ଟିମ କୋକ୍ସ ବଜାର (ବାଲାଂଦେଶ) ଠାରୁ ୧୪୬୦ କିମି ଓ ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଏବଂ ସୀତ୍ୱେ (ମିଆଁମାର୍)ର ୧୩୪୦ କିମି ଦୂରରେ ରହିଥିଲା । ଏହା ଧୀରେ ଧୀରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହିତ ମେ’ ୧୦ ସନ୍ଧ୍ୟା ସୁଦ୍ଧା ସମାନ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବା ସହିତ ଧୀରେ ଧୀରେ ତୀବ୍ର ହେବାର ସମ୍ଭାବନା ରହିଛି । ଏହାପରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହା ମେ’ ୧୧ ସକାଳ ସୁଦ୍ଧା ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ମେ’ ୧୧ ମଧ୍ୟରାତ୍ରି ସୁଦ୍ଧା ପୂର୍ବ ଏବଂ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହାପରେ ପୁନର୍ବାର ବକ୍ରଗତିରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଯାଇ ଦକ୍ଷିଣ-ପୂର୍ବ ବାଲାଂଦେଶ ଏବଂ ଉତ୍ତର ମିଆଁମାର୍ ଉପକୂଳକୁ ମେ’୧୪ ପୂର୍ବାହ୍ନରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବୁଧବାର ମଧ୍ୟାହ୍ନରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ପବନ ହେବ । ମଧ୍ୟରାତ୍ରି ସୁଦ୍ଧା ପବନର ବେଗ ୧୦୦ କିମି ପର୍ଯ୍ୟନ୍ତ ବଢିପାରେ । ସେହିଭଳି ୧୧ ତାରିଖ ସନ୍ଧ୍ୟା ସୁଦ୍ଧା ପବନର ବେଗ ଘଣ୍ଟା ପ୍ରତି ୧୧୦ କିମି ହେବ । ତେବେ ୧୩ ତାରିଖରୁ ପବନର ବେଗ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ସମୁଦ୍ରରେ ଉଚ୍ଚ ଲହରି ଉଠିବା ସହିତ ସମୂଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜାବୀମାନଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।