ଇମ୍ରାନ୍ ଖାନ୍ ଗିରଫ
ଇସଲାମାବାଦ, ୯ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ମଙ୍ଗଳବାର ଅପରାହ୍ନରେ ଗିରଫ କରାଯାଇଛି । ପାକିସ୍ତାନୀ ରେଞ୍ଜରମାନେ (ଅର୍ଦ୍ଧସାମରିକ ବାହିନୀ) ତାଙ୍କୁ ହାଇକୋର୍ଟ ଭିତରୁ କଲର ଧରି ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁଇଟି ମାମଲାରେ ଜାମିନ୍ ପାଇଁ ଇମ୍ରାନ୍ ହାଇକୋର୍ଟକୁ ଆସିଥିଲେ । କୋର୍ଟ ରୁମ୍ରେ ସେ ବାଇମେଟ୍ରିକ୍ ଭେରିଫିକେସନ୍ କରୁଥିବାବେଳେ ରେଞ୍ଜରମାନେ ଝରକା କାଚ ଭାଙ୍ଗି ତାଙ୍କୁ ଟାଣି ନେଇଥିଲେ । ଇମ୍ରାନ୍ଙ୍କ ଦଳ ପିଟିଆଇ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ରେଞ୍ଜରମାନେ ତାଙ୍କ ଓକିଲଙ୍କୁ ମାଡ଼ମାରି ଲହୁଲୁହାଣ କରିଦେଇଛନ୍ତି । ହାଇକୋର୍ଟ ବାହାରେ ଇମ୍ରାନଙ୍କୁ ମଧ୍ୟ ମାଡ଼ ଦିଆଯାଇଛି । ଇମ୍ରାନ୍ ଗିରଫ ହେବା ଖବର ପ୍ରସାରିତ ହେବାପରେ ଦେଶସାରା ତାଙ୍କ ସମର୍ଥକମାନେ ପ୍ରବଳ ବିକ୍ଷୋଭ କରିଛନ୍ତି । ସେନା ମୁଖ୍ୟାଳୟରେ ଆନେ୍ଦାଳନକାରୀମାନେ ପଶି ଭଙ୍ଗାରୁଜା କରିଛନ୍ତି । ଜଣେ ସେନା କମାଣ୍ଡାଣ୍ଟଙ୍କ ଘରୁ ଲୁଟ୍ପାଟ୍ କରିଛନ୍ତି । ଇସଲାମାବାଦ, ଲାହୋର, କରାଚୀ, ରାଓଲପିଣ୍ଡି ଆଦି ସହରରେ ହିଂସାକାଣ୍ଡ ବ୍ୟାପିବାରେ ଲାଗିଛି । ବିକ୍ଷୋଭକାରୀମାନେ ସେନା ଓ ପୁଲିସ୍ ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି । ଲାହୋର, କ୍ୱେଟା, ପେଶାୱର, ଗୁଜରନୱାଲା ଠାରେ ଥିବା ସେନା କ୍ୟାଣ୍ଟନମେଣ୍ଟ ଭିତରକୁ ପଶି ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିବା ଖବର ମିଳିଛି । ଆଇଏସ୍ଆଇ ମୁଖ୍ୟାଳୟରେ ମଧ୍ୟ ଅନୁରୂପ ଭଙ୍ଗାରୁଜା ଓ ପୋଡାଜଳା ହୋଇଛି । ବେଲୁଚିସ୍ତାନର କ୍ୱେଟାରେ ସ୍ଥିତି ଅଣାୟତ୍ତ ହେବାରୁ ସେନା ଗୁଳିବର୍ଷଣ କରିଛି ।
ସେଥିରେ ବହୁ ଲୋକ ମୃତାହତ ହୋଇଛନ୍ତି । ରେଡିଓ ପାକିସ୍ତାନ କୋଠାଟିରେ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଛନ୍ତି । ଦେଶସାରା ୧୪୪ ଜାରି ହେବା ସହ ଟ୍ୱିଟ୍ର ବ୍ଲକ୍ କରାଯାଇଛି ।
ଇମ୍ରାନ୍ଙ୍କୁ ଅଲ୍ କାଦିର ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ସ୍କାମ୍ରେ ଗିରଫ କରାଯାଇଥିବା କୁହାଯାଉଛି । ସ୍କାମ୍ ପ୍ରାୟ ୫୩ କୋଟି ଟଙ୍କାର । ଏହି ବିଶ୍ୱବିଦ୍ୟାଳୟରେ ଅଛନ୍ତି ମାତ୍ର ୨ଜଣ ଟ୍ରଷ୍ଟି – ଇମ୍ରାନ୍ ଓ ତାଙ୍କ ପତ୍ନୀ ବୁଶରା । ନବେ କୋଟି ଟଙ୍କାରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ୬ ବର୍ଷରେ ମାତ୍ର ୩୨ଜଣ ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି । ସୂତ୍ରଅନୁଯାୟୀ ସୋମବାର ରାଓଲ୍ପିଣ୍ଡିରେ ପାକିସ୍ତାନର ଗୁଇନ୍ଦା ସଂଗଠନ ଆଇଏସ୍ଆଇର ତୁଙ୍ଗ ଅଧିକାରୀମାନେ ଦେଢ଼ଘଣ୍ଟା ଗୁପ୍ତ କରିବା ପରେ ଇମ୍ରାନ୍ଙ୍କୁ ମଙ୍ଗଳବାର ଗିରଫ କରଯିବ ବୋଲି ସେନାଧ୍ୟକ୍ଷ ଜେନେରାଲ ମୁନୀର୍ଙ୍କୁ ଜଣାଇ ଦେଇଥିଲେ ।